ନିଖୋଜ ମୌସୁମୀ, ହୀରାକୁଦରୁ କମିଲାଣି ପାଣି । ଭୟଙ୍କର ଭାବେ ପ୍ରଭାବିତ ହେବ ବିଦ୍ୟୁତ୍ ସେବା

257

କନକ ବ୍ୟୁରୋ : ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ସ୍ଥିତି ସାଂଘାତିକ । ଗତ ୫ ବର୍ଷରେ ସବୁଠୁ କମ୍ ଜଳସ୍ତର ରହିଛି ଜଳଭଣ୍ଡାରରେ । ଯେଉଁ ସମୟରେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବା କଥା, ସେହି ସମୟରେ ହୀରାକୁଦର ଜଳସ୍ତର ସବୁଠୁ ନିମ୍ନ ସ୍ତରକୁ ଖସିଆସିଛି । ସ୍ଥିତି ଏଭଳି ହୋଇଛି ଯେ, ବିଦ୍ୟୁତ୍ ସଂସ୍ଥାକୁ ଜଳ ଯୋଗାଣ କମାଇବାକୁ ଚିନ୍ତା କରାଯାଉଛି । ଆଉ ଏଭଳି ହେଲେ, ବିଦ୍ୟୁତ୍ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି ।

ଉପରମୁଣ୍ଡରେ ବର୍ଷାର ଅଭାବ ଯୋଗୁଁ ହୀରାକୁଦ ସ୍ଥିତି ସଙ୍ଗୀନ । ଜଳଭଣ୍ଡାରରେ ଜଳସ୍ତର ଗତ ୫ ବର୍ଷରେ ସବୁଠୁ କମ୍ ରହିଛି । ବର୍ତମାନ ଜଳଭଣ୍ଡାରକୁ ୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଆଜିର ଦିନରେ ହୀରାକୁଦର ଜଳସ୍ତର ରହିଛି ୫୯୮.୮୯ ଫୁଟ । ଗତବର୍ଷ ଜଳସ୍ତର ଥିଲା ୬୧୨ ଫୁଟ । ଜୁଲାଇ ମାସରେ ଜଳଭଣ୍ଡାରର ଉପରମୁଣ୍ଡରେ ହାରାହାରି ୩୫୦ ମିଲିମିଟର ବର୍ଷା ହେବା କଥା । ମାତ୍ର ବର୍ତମାନ ଯାଏଁ ୧୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

କମ୍ ବର୍ଷା ଯୋଗୁଁ ଜଳସ୍ତର କମିବା ପରେ ପାୱାର ହାଉସକୁ ଜଳଯୋଗାଣ କମାଇବାକୁ ଚିନ୍ତା କରାଯାଉଛି । ପୂର୍ବରୁ ଓଏଚପିସିକୁ ୧୩ ହଜାର କ୍ୟୁସେକ୍ ଜଳ ଯୋଗାଣ କରାଯାଉଥିବା ବେଳେ ବର୍ତମାନ ୩୫୦୦ କ୍ୟୁସେକ୍ ପାଣି ନେବାକୁ ଅନୁରୋଧ କରାଯାଇଛି । ୧୦ ହଜାର କ୍ୟୁସେକ୍ ଜଳ ହ୍ରାସ କରାଗଲେ ୫୫ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କମିବା ଆଶଙ୍କା ରହିଛି । ଏଭଳି ହେଲେ ବିଦ୍ୟୁତ୍ ଉତ୍ପାଦନରେ ବଡ ଧରଣର ପ୍ରଭାବ ପଡିବା ସମ୍ଭାବନା ରହିଛିି ।

ମୌସୁମୀର ଲୁଚକାଳି ଭିତରେ ଚାଷୀର ଜମି ଫାଟି ଆଁ କରିଥିବା ବେଳେ ଚାଷ ଉଜୁଡିବାକୁ ବସିଲାଣି । ଏଭଳି ସ୍ଥିତିରେ ହୀରାକୁଦ ଡ୍ୟାମର ଜଳସ୍ତର ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ଏହି ସମୟ ବେଳକୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢି ଗେଟ୍ ଖୋଲିବା ପରିସ୍ଥିତି ସୃଷ୍ଟି ହେଉଥିଲା । ମାତ୍ର ଏବର୍ଷ ଜଳଭଣ୍ଡାରର ଜଳସ୍ତର ସବୁଠୁ କମ୍ ସ୍ତରକୁ ଖସିଆସିଛି ।