ଗୋଟିଏ ରାତିରେ ୮ଟି ଦୋକାନରୁ ପିଆଜ ଚୋରୀ । ସାଲେପୁର ରାଇସୁଙ୍ଗୁଡା ବଜାରରୁ ପିଆଜ ଚୋରୀ କରିନେଲେ ଦୁର୍ବୃତ୍ତ

ଥାନାରେ ପହଂଚିଲା ମାମଲା; ଦୋକାନୀ କହିଲେ, ପିଆଜକୁ ଯୋଗାଇ ଦିଆଯାଉ ସୁରକ୍ଷା

667

କନକ ବ୍ୟୁରୋ: ପିଆଜର ଦାମ୍ ଆକାଶଛୁଆଁ ହେବା ପରେ ଲୋକଙ୍କ ମୁଣ୍ଡବ୍ୟଥା ବଢିବା ସଙ୍ଗେ ସଙ୍ଗେ ଚୋରଙ୍କ ପ୍ରକୃତି ମଧ୍ୟ ବଦଳିଛି । ଏବେ ସୁନା,ଗହଣା ନୁହଁ ଚୋରଙ୍କ ଟ୍ରେଣ୍ଡରେ ଅଛି ପିଆଜ । ତେବେ ପିଆଜ ଚୋରୀ ହେବା ଘଟଣା ବାହାର ରାଜ୍ୟରୁ ଏବେ ଓଡିଶାକୁ ଡେଇଁଛି । ଓଡିଶା ଚୋରଙ୍କୁ ଏବେ ପିଆଜ ଚୋରୀ କରିବାର ନିଶା ଲାଗିଛି ।  ଗୋଟିଏ ରାତିରେ ୮ ଟି ଦୋକାନରୁ ପିଆଜ ଚୋରୀ । କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡା ବଜାରରୁ ଗତକାଲି ରାତିରେ ଗୋଟିଏ କି ଦୁଇଟି ନୁହେଁ ୮ଟି ଦୋକାନରୁ ଏକାଥରକେ ଚୋରୀ ହୋଇଛି । ତାହା ପୁଣି ପିଆଜ ଚୋରୀ କରିନେଇଛନ୍ତି ଦୁର୍ବୃତ । ପିଆଜ ଦର ହୁ ହୁ ହୋଇ ବଢି ପିଆଜ କିଲୋ ପିଛା ଦର ୧୬୦ଟଙ୍କାରେ ପହଂଚିଲାଣି ।

ଏପରି ସ୍ଥଳେ ରାଇସୁଙ୍ଗୁଡା ବଜାରର ୮ଟି ଦୋକାନରୁ ପିଆଜ ଚୋରୀ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଥାନାରେ ପହଂଚିଛି ମାମଲା । ପୋଲିସ ରାଇସୁଙ୍ଗୁଡା ବଜାରରେ ପହଂଚି ତଦନ୍ତ କରି ଫେରିଥିବା ବେଳେ, ପିଆଜକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି ହୋଇଛି । ସେପଟେ ରାତ୍ରୀକାଳିନ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ତେବେ ମହଙ୍ଗାର ଶୀର୍ଷରେ ଥିବା ପିଆଜ ଲୋକଙ୍କ ରୋଷେଇଘରେ ଆଉ ଦେଖାଯାଉନି ।  ପିଆଜ ଦର ହୁ ହୁ ହୋଇ ବଢି କିଲୋ ପିଛା ଦର ୧୬୦ଟଙ୍କାରେ ପହଂଚିଲାଣି । ଅନ୍ୟ ରାଜ୍ୟମାନଙ୍କରେ ତ ପିଆଜର ଦାମ୍ ୨୫୦ ଟଙ୍କା ଡେଇଁଲାଣି  । ଏଭଳି ସ୍ଥିତିରେ ସାଲେପୁର  ବଜାରରୁ ଗୋଟିଏ ରାତିରେ ୮ ଟି ଦୋକାନରୁ ପିଆଜ ଚୋରୀ ହେବା ଘଟଣା ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।