ଅଯୋଧ୍ୟାରେ ରାମ ନାମ : ଜୋର ଧରିଲା ରାମମନ୍ଦିର ନିର୍ମାଣ ପାଇଁ ଦାବି, ଅଧ୍ୟାଦେଶ ଆଣିବାକୁ ଉଦ୍ଧବଙ୍କ ଦାବି

ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମସଭା

80

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଅଧ୍ୟାଦେଶ ଆଣିବାକୁ ଦାବି କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ରାମ ଜନ୍ମଭୂମିରେ ରାମଲାଲାଙ୍କ ଦର୍ଶନ ପରେ ଅଯୋଧ୍ୟା ମାଟିରୁ ଏହି ଦାବି କରିଛନ୍ତି ଉଦ୍ଧବ । ଏହା ସହିତ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ କଟାକ୍ଷ କରିଛନ୍ତି ଉଦ୍ଧବ ।

ଆଜି ସକାଳୁ ସକାଳୁ ପରିବାର ସହ ଯାଇ ରାମ ଜନ୍ମଭୂମିରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି ଠାକରେ । ସେ ରାମଲାଲାଙ୍କ ଦର୍ଶନ କରିବା ସହ ରାମମନ୍ଦିର ନିର୍ମାଣ କରିବା ଦାବିକୁ ଜୋର ଦେଇଛନ୍ତି । ଗତକାଲିଠାରୁ ଅଯୋଧ୍ୟାକୁ ହଜାର ହଜାର ସଂଖ୍ୟାରେ ଶିବସୈନିକଙ୍କ ସହ ଆସି ୨ଦିନିଆ ସମ୍ମିଳନୀ କରିଛନ୍ତି ଉଦ୍ଧବ ।

ସେପଟେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ଆଜି ଧର୍ମ ସଂସଦ ଆୟୋଜନ କରିଛି । ଏଥିରେ ଲକ୍ଷାଧିକ ବିଶ୍ୱ ହିନ୍ଦୁ ପରିଷଦ,ଆରଏସଏସ୍ର କାର୍ଯ୍ୟକର୍ତା ଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟ ରାୟ ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ସଂସଦର ଶୀତଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ସେମାନେ ସ୍ୱର ଉଠାଇଛନ୍ତି ।

ଏହି ସଭାରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କୁ ମଧ୍ୟ ଏକାଠି କରାଯାଇଛି । ଆଇନଶୃଙ୍ଖଳାକୁ ନଜରରେ ରଖି ଅଯୋଧ୍ୟାରେ ୧୪୪ ଧାରା ଲାଗୁ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଯୋଧ୍ୟା ଏକ ପ୍ରକାର ପୁଲିସ ଛାଉଣିରେ ପରିଣତ ହୋଇଛି । ଏହାକୁ ନେଇ ଲୋକମାନେ ଭୟ ଓ ଆଶଙ୍କାରେ ଥିବା ଦେଖିବାକୁ ମିଳିଛି । ତେବେ ବିରୋଧୀ ଏହାକୁ ବିଜେପି ଓ ଶିବସେନାର ନିର୍ବାଚନୀ ଚାଲ୍ ବୋଲି କହି ସମାଲୋଚନା କରିଛନ୍ତି ।