ଓଲଟିଲା ଡମ୍ପର, ପୋତି ହୋଇଗଲେ ଦମ୍ପତି । ଗର୍ଭବତୀ ପତ୍ନୀଙ୍କୁ ନେଇ ଯାଉଥିଲେ ଡାକ୍ତରଖାନା, ବାଟରେ ହେଲା ଦୁର୍ଘଟଣା । ଟ୍ରକ୍ ତଳେ ବାଇକ୍ ସହ ଚାପି ହୋଇଗଲେ ସ୍ୱାମୀ-ସ୍ତ୍ରୀ ।

2,530

କନକ ବ୍ୟୁରୋ : ଆଜି ଯାଜପୁରରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା । ଏମିତି ଏକ ଦୁର୍ଘଟଣା ଯାହା ଆପଣଙ୍କ ଛାତି ଥରାଇଦେବ । ବାଇକରେ ଯାଉଥିବା ଦମ୍ପତିଙ୍କ ଉପରେ ଓଲଟି ପଡିଥିଲା ମୋରମ ବୋଝେଇ ଡମ୍ପର । ୨୫ ମିନିଟ୍ ଧରି ଡମ୍ପର ତଳେ ଚାପି ହୋଇରହିଥିଲେ ସ୍ୱାମୀ-ସ୍ତ୍ରୀ । ସୌଭାଗ୍ୟବଶତ, ଦମ୍ପତି ବଂଚିଯାଇଛନ୍ତି । ତେବେ ଉଭୟ ସ୍ୱାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ବିଚ୍ ରାସ୍ତାରେ ଦମ୍ପତିଙ୍କ ଉପରେ ମାଡି ବସିଥିଲା ଡମ୍ପର । ମୋରମ ଭିତରେ ପୋତି ହୋଇଯାଇଥିଲେ ସ୍ୱାମୀ ସ୍ତ୍ରୀ । ଦୁଇ ଜଣଙ୍କ ବେକେ ଯାଏ ମୋରମ ଭର୍ତି ହୋଇ ରହିଥିଲା । ଆଉ ତା ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଉଭୟ ।

ଡମ୍ପର ତଳେ ଦମ୍ପତି କରୁଥିଲେ ଜୀବନ-ମୃତ୍ୟୁ ସହ ସଂଘର୍ଷ । ଇଏ ଏମିତି ଏକ ଦୁର୍ଘଟଣା, ଯାହା ଆଉ କାହା ସହ ନଘଟୁ । ଚାପି ହୋଇ ରହିଥିବା ଡମ୍ପର ଭିତରୁ ବାହାରିବାକୁ ଯେତେ ଚେଷ୍ଟା କଲେ ବି ବାହାରି ପାରୁନଥିଲେ ଦମ୍ପତି । ଚିତ୍କାର କରୁଥିଲେ, ଉଦ୍ଧାର କରିବାକୁ । ହେଲେ ପାଖରେ ଥିବା ସମସ୍ତେ ଯେମିତି ଅସହାୟ । ସବୁ ଦେଖୁଥିଲେ ହେଲେ କେହି କିଛି କରିପାରୁନଥିଲେ ।

ସୋମବାର ଅପରାହ୍ନ ପ୍ରାୟ ୨ଟା । ଡୁବୁରି-ଚଣ୍ଡିଖୋଲ ରାସ୍ତାରେ ବାଇକରେ ଯାଜପୁର ମେଡିକାଲ୍ ଯାଉଥିଲେ ସ୍ୱାମୀ-ସ୍ତ୍ରୀ । ବାଇକ୍ ପଙ୍କପାଳ ନିକଟ ଡାକବଙ୍ଗଳା ଛକ ଅତିକ୍ରମ କରିବା ବେଳେ ହଠାତ୍ ବିପରୀତ ଦିଗରୁ ସେମାନଙ୍କ ସାମ୍ନାକୁ ଆସିଯାଇଥିଲା ଆଉ ଗୋଟିଏ ବାଇକ୍ । ଏବଂ ରାସ୍ତା ଉପରେ ବାଇକ-ବାଇକ ଧକ୍କା ହୋଇଥିଲା । ଠିକ୍ ଏହି ସମୟରେ ପଛପଟୁ ଆସୁଥିବା ମୋରମ୍ ବୋଝେଇ ଡମ୍ପର, ସାମ୍ନାରେ ବାଇକ୍ ଦୁର୍ଘଟଣା ଦେଖି ହଠାତ୍ ବ୍ରେକ୍ ଦେଇଥିଲା । ଏବଂ ଭାରସାମ୍ୟ ହରାଇ ବାଇକ ଉପରେ ଓଲଟି ପଡିଥିଲା । ଡମ୍ପର ତଳେ ବାଇକ୍ ଚାପି ହୋଇ ରହିଥିବା ବେଳେ, ଡମ୍ପରରେ ଥିବା ମୋରମରେ ପୋତି ହୋଇଯାଇଥିଲେ ଦମ୍ପତି ।

୨୫ ମିନିଟ୍ ଧରି ଡମ୍ପର ତଳେ ଛଟପଟ ହୋଇଥିଲେ ସ୍ୱାମୀ-ସ୍ତ୍ରୀ । ଏହାପରେ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଏକ ଟ୍ରଲର ଆଣିଥିଲେ । ଏବଂ ଡମ୍ପରକୁ ବାନ୍ଧି ବାଇକ୍ ଉପରୁ ଉଠାଇଥିଲେ । ଜୀବନ ସିନା ବଂଚିଯାଇଥିଲା ହେଲେ ଗୁରୁତର ଆହତ ହୋଇଥିଲେ ଦମ୍ପତି । ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ସ୍ତ୍ରୀ ସ୍ଥାନୀୟ ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।