କନକ ବ୍ୟୁରୋ : ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ଟ୍ରେନ ଯାତ୍ରୀଙ୍କୁ ବଡ ଝଟକା ଦେବାକୁ ଯାଉଛି । ବିମୁଦ୍ରିକରଣ ପରେ ଟ୍ରେନ୍ ଟିକେଟରୁ ସର୍ଭିସ୍ ଚାର୍ଜ ହଟାଇ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୧ରୁ ଏହାକୁ ପୁଣି ଥରେ ଲାଗୁ କରିବାକୁ ଯାଉଛି ରେଳବାଇ । ଡିଜିଟାଲ ପେମେଣ୍ଟର ପ୍ରଚାର ପ୍ରସାର ପାଇଁ ଏହାକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ ପୁଣି ଲାଗୁ କରାଯିବା ଖବର ଟ୍ରେନ୍ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି ।
ବରିଷ୍ଠ ରେଳ ମନ୍ତ୍ରାଳୟ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ଲାଟଫର୍ମରୁ ବୁକ୍ କରାଯାଉଥିବା ଟିକେଟରେ ସର୍ଭିସ ଚାର୍ଜ ପୁଣି ଥରେ ଲାଗୁ ହେବ । ପୂର୍ବରୁ ଏସି କୋଚ୍ ପାଇଁ ୪୦ଟଙ୍କା ସର୍ଭିସ୍ ଚାର୍ଜ ନିଆଯାଉଥିବା ବେଳେ ସ୍ଲିପର ପାଇଁ ୨୦ଟଙ୍କା ସର୍ଭିସ୍ ଚାର୍ଜ ନିଆଯାଉଥିଲା । ବର୍ତ୍ତମାନ ଏହାକୁ କମାଇ ଦିଆଯିବା ସହ ଏବେ ଯାତ୍ରୀ ଏସି କୋଚ୍ ପାଇଁ ୩୦ଟଙ୍କା ଦେବା ସହ ସ୍ଲିପର ପାଇଁ ୧୫ଟଙ୍କା ସର୍ଭିସ୍ ଚାର୍ଜ ଦେବେ । ଜିଏସଟି ସହ ଏହାକୁ ମିଶା ଯିବ ନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।