ଭୋକିଲାଙ୍କ ଭଗବାନ, ଅଜଣା ଲୋକଙ୍କ ଅନ୍ନଦାତା । ରାତି ଅଧରେ ଭୋକିଲାଙ୍କ ପେଟ ପୁରାଉଛନ୍ତି ଗୋପବନ୍ଧୁ ସୁଖ ଦୁଃଖର ସାଥୀ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ହସ୍ପିଟାଲରେ ପହଞ୍ଚି ମାଗଣାରେ ଦେଉଛନ୍ତି ଖାଦ୍ୟ ।

404

କନକ ବ୍ୟୁରୋ : ଆଉ କେହି ରହିବେନି ଭୋକିଲା । ଦେଶରେ ଯେପରି କୌଣସି ଲୋକ ଭୋକ ଉପାସରେ ନ ରୁହେ ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି । ଏପରିକି ରାଜ୍ୟରେ ୫ ଟଙ୍କିଆ ଆହାର ଯୋଜନା ଦୀର୍ଘ ଦିନ ହେବ ଚାଲି ଆସୁଛି । କିନ୍ତୁ ଏହି ଯୋଜନାର ଅସଲ ରୂପ ସେତେବେଳେ ପଦାରେ ପଡୁଛି ଯେତେବେଳେ ଶହଶହ ଲୋକ ଖାଇବାକୁ ଓଳିଏ ନ ପାଇ ଉପାସରେ ଶୋଉଛି । ଭୋକରେ ଆଉଟପାଉଟ ହେଉଥିଲେ ମଧ୍ୟ ନା ଏମାନଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡୁଛି ନା ସ୍ୱାର୍ଥପର ସମାଜର । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଭୋକିଲା ମଣିଷର ପେଟର ବ୍ୟଥାକୁ ବେଶ ଭଲ ଭାବେ ବୁଝି ପାରିଛନ୍ତି । ସେଥିପାଇଁ ତ ନିଜ କର୍ମମୟ ଜୀବନ ମଧ୍ୟରୁ ସମୟ ଟିକିଏ ବାହାର କରି ରାତି ଅଧରେ ପହଞ୍ଚି ଯାଉଛନ୍ତି ଭୋକିଲା ମଣିଷଙ୍କ ପାଖରେ । ଆଉ ଭୋକିଲା ଲୋକଙ୍କ ପାଇଁ ଏମାନେ ସାଜିଛନ୍ତି ଭଗବାନ ।

ପେଟ ପୂରିଛି, ମୁହଁରେ ହସ ଫେରିଛି । ରାତିରେ ଭୋକରେ ଶୋଇବାକୁ ପଡିବନି ବୋଲି ଜାଣିସାରିବା ପରେ ନାଚି ଉଠିଛି ଛୋଟ ଛୁଆର ପାଦ । ସେହିଭଳି ପରିଣତ ବୟସରେ ଭୋକ ଉପାସରେ ଶୋଇଥିବା ବୟସ୍କ ଲୋକଟିଏ ମଧ୍ୟ ଖାଇବା ପ୍ୟାକେଟ ହାତରେ ଧରିବା ପରେ ଖୁସିରେ ଆତ୍ମହରା ହୋଇପଡୁଛି । କେବଳ ଏହି ଛୋଟ ଛୁଆ ନୁହେଁ ଏମିତି ଅନେକ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି ବାଲେଶ୍ୱରର ଗୋପବନ୍ଧୁ ଦୁଃଖ ସୁଖର ସାଥୀ ସଙ୍ଗଠନ । ରେଳ ଷ୍ଟେସନ, ହସ୍ପିଟାଲ,ଅନାଥ ଆଶ୍ରମ ଏପରିକି ରାସ୍ତା କଡରେ ଶୋଇଥିବା ଭୋକିଲା ମଣିଷଙ୍କ ପାଇଁ ଏମାନେ ସାଜିଛନ୍ତି ଭଗବାନ । ପାଖାପାଖି ବର୍ଷେ ହେବ ବାଲେଶ୍ୱରରେ ଅଜଣା ଲୋକଙ୍କ ପାଇଁ ଅନ୍ନଦାତା ସାଜିଛି ଏହି ସଙ୍ଗଠନ । ଭୋକିଲା ଲୋକଙ୍କୁ ପେଟପୂରା ଖାଇବାକୁ ଦେବାକୁ ପ୍ରାୟ ବର୍ଷେ ତଳେ ଆରମ୍ଭ ହୋଇଥିଲା ଏହି ସଙ୍ଗଠନ । ଆଉ ଏହା ଭିତରେ ୧୫୦ରୁ ଅଧିକ ଯୁବକ ଏଭଳି ମହତ୍ କାମ ପାଇଁ ସଙ୍ଗଠନ ସହ ଯୋଡି ହୋଇସାରିଲେଣି ।

ବିବାହ ଉତ୍ସବ ହେଉ ବା ଜନ୍ମ ଉତ୍ସବ । ପ୍ରତ୍ୟେକ ଭୋଜିରେ ବଳି ପଡିଥିବା ଖାଦ୍ୟ ସଂଗ୍ରହ କରିବା ପରେ ଭୋକିଲା ଲୋକ ପାଖରେ ପହଞ୍ଚିଯାଆନ୍ତି ଗୋପବନ୍ଧୁ ଦୁଃଖ ସୁଖର ସାଥୀ ସଙ୍ଗଠନର ସଦସ୍ୟ ମାନେ । ଆଉ ଯେବେ କୌଣସି ଭୋଜିରୁ ବଳକା ଖାଦ୍ୟ ନ ମିଳେ ସେତେବେଳେ ନିଜସ୍ୱ ଖର୍ଚ୍ଚରେ ଭୋକିଲାଙ୍କ ତୁଣ୍ଡରେ ଆହାର ଦେଇଥାନ୍ତି ସଙ୍ଗଠନର ସଦସ୍ୟ । ଆଉ ଗୋପବନ୍ଧୁ ଦୁଃଖ ସୁଖର ସାଥୀ ସଙ୍ଗଠନର ଏଭଳି କାର୍ଯ୍ୟକୁ ଏବେ ସାଧାରଣରେ ବେଶ ପ୍ରଂଶସା କରାଯାଉଛି । ଆଉ ସେଥିପାଇଁ ତ କିଛି ଲୋକ ଏମାନଙ୍କୁ ଅଜଣା ଲୋକଙ୍କ ଅନ୍ନଦାତା କହୁଥିବା ବେଳେ ଆଉ କିଛି ଲୋକ ଭୋକିଲା ଭଗବାନ ବୋଲି କହୁଛନ୍ତି । କେବଳ ଯେ ଭୋକିଲାଙ୍କ ପେଟ ପୂରାନ୍ତି ତାହା ନୁହେଁ ବରଂ ଗରିବ ଲୋକଙ୍କୁ ରକ୍ତ ଦେବା ହେଉ ବା ଅସହାୟଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇବା ଏଭଳି ଅନେକ ସାମାଜିକ କାମ କରିବାକୁ ଆଗେଇ ଆସନ୍ତି ସଙ୍ଗଠନର ସଦସ୍ୟ ।