ପାଠପଢା ନିଶା ଆଗରେ ହାର ମାନିଛି ବୟସ ! ଇଂରାଜୀରେ ଏମଏ କରିବାକୁ ୭୨ ବର୍ଷୀୟ ବୃଦ୍ଧ ୭ମ ଶ୍ରେଣୀରେ ଲେଖାଇଲେ ନାମ

58

କନକ ବ୍ୟୁରୋ : ଏକଦା ଇଂରାଜୀ ସାହିତ୍ୟରେ ଡିଗ୍ରି ହାସଲ କରିବାକୁ ଇଚ୍ଛା କରିଥିବା ୭୨ ବର୍ଷିୟ ମୁକୁନ୍ଦ ଚାରି ଏବେ ସେଣ୍ଟ୍ ଜାଭିୟର୍ସ ନାଇଟ୍ ସ୍କୁଲରେ ୭ମ ଶ୍ରେଣୀରେ ପଢୁଛନ୍ତି। ଦୁଇ ମାସ ତଳେ ସେ ସ୍କୁଲରେ ଯୋଗ ଦେଇଛନ୍ତି। ଭାରତ ସ୍ୱାଧୀନ ହେବାର ୪ ଦିନ ପୂର୍ବରୁ ଜନ୍ମିଥିବା ଗ୍ରାଣ୍ଟ୍ ରୋଡ୍ ନିବାସୀ ଅବସରପ୍ରାପ୍ତ ସିକ୍ୟୁରିଟି ଗାର୍ଡ ଏବଂ ନିରା ସମବାୟ ସମାଜର କର୍ମଚାରୀ ଥିବା ମୁକୁନ୍ଦ ୩୦ ବର୍ଷରୁ ଅଧିକ କାଳ ରେଳବାଇ ଷ୍ଟେସନଗୁଡିକରେ ପାନୀୟ ଷ୍ଟଲ୍ ଯାଞ୍ଚ କରି ଆସୁଛନ୍ତି। ୧୯୫୦ ଦଶକରେ ସେ ମରାଠି ମାଧ୍ୟମ ସ୍କୁଲରେ ପଢୁଥିଲେ। ଏକାଦଶ ପାସ୍ କରିବା ପରେ ପୁଲକିତ ହୋଇ ସେ ଦକ୍ଷିଣ ମୁମ୍ବାଇର ଏକ କଲେଜକୁ ନାମ ଲେଖାଇବା ପାଇଁ ଗଲେ। ଇଂରାଜୀ ସାହିତ୍ୟ ପଢ଼ିବାକୁ ଥିଲା ତାଙ୍କର ଆଗ୍ରହ। କିନ୍ତୁ, ପ୍ରିନସିପାଲଙ୍କ କଥା ତାଙ୍କ ମନ ଭାଙ୍ଗିଦେଲା। ସେଠାରେ ସବୁ ଇଂରାଜୀରେ ପଢ଼ା ଯିବ ବୋଲି ସେ ଶୁଣିଲେ। ସ୍କୁଲରେ ମରାଠୀ ପଢ଼ିଥିବାରୁ ଇଂରାଜୀରେ ଶିକ୍ଷା ଗ୍ରହଣ କରି ପାରିବେ ବୋଲି ତାଙ୍କର ଭରସା ପାଇଲା ନାହିଁ। ସେ ଘରକୁ ଫେରି ଆସିଲେ।

 

ପରେ ପରେ ତାଙ୍କ ପିତାମାତାଙ୍କର ଦେହାନ୍ତ ହେଲା। ପାଞ୍ଚ ପିଲାଙ୍କ ମଧ୍ୟରେ ବଡ଼ ହୋଇଥିବାରୁ ସାନଭାଇ ଭଉଣୀଙ୍କ ତତ୍ତ୍ୱ ନେବା ପାଇଁ ସେ ଏଣୁ ତେଣୁ କାମ କଲେ। କ୍ରମେ ଭାଇ ଭଉଣୀ ବାହାସାହା ହୋଇ ଘରସଂସାର କଲେ। ଚାରିଙ୍କର ଚାକିରି ଜୀବନ ସେମିତି ଚାଲିଥାଏ। କିନ୍ତୁ, ତାଙ୍କ ମନରେ ଥାଏ ଗୋଟିଏ କଥା- ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ହେବେ। ମୁଁ ସେକ୍ସପିୟର୍ଙ୍କ ସାହିତ୍ୟ କୃତୀ ପଢ଼ି ନାହିଁ, କିନ୍ତୁ ଶୁଣିଛି ସେ ମହାନ୍। ବୟସ ବଢ଼ିବା ସହ କାମ ଆଉ ଦେହସୁହା ହେଲା ନାହିଁ। ଅବସର ଗ୍ରହଣ କରି ଚାରି ଭଉଣୀ ପରିବାର ସହ ରହିବାକୁ ସ୍ଥିର କଲେ। ତାଙ୍କ ଭଣଜା କଲେଜରେ ଇଂରାଜୀ ସାହିତ୍ୟ ପଢ଼ନ୍ତି ଏବଂ ତା’ର ହୋମ୍ଓ୍ଵାର୍କ ଦେଖି ଦେଖି ଚାରିଙ୍କ ମନର ସୁପ୍ତ ଇଚ୍ଛା ଜାଗ୍ରତ ହେଲା। ଦିନେ ସନ୍ଧ୍ୟାରେ କ୍ରଫୋର୍ଡ ମାର୍କେଟକୁ ଯାଇଥିବା ବେଳେ ୟୁନିଫର୍ମ ପିନ୍ଧା କିଛି ପିଲାଙ୍କୁ ଦେଖି ତାଙ୍କର ସ୍କୁଲ୍ ଯିବାକୁ ମନ ହେଲା। ଏବେ ମଧ୍ୟ ଚାରି ଇଂରାଜୀ ଭଷା ଭଲକି ଜାଣନ୍ତି ନାହିଁ। ସବୁ ପିଲା ଇଂରାଜୀ କହୁଥିବା ନୂଆ ସ୍କୁଲରେ ଚାରି ଅଭ୍ୟାସ କରି କରି ଇଂରାଜି ଭାଷା ଶିଖୁଛନ୍ତି। ଯାହିତାହି ଟିକେ ଇଂରାଜୀ ଜାଣିଥିବାରୁ ତାଙ୍କୁ ସପ୍ତମ ଶ୍ରେଣୀରେ ନାମ ଲେଖାଇବାର ସୁଯୋଗ ମିଳିଛି।