୧ ଗୀତ , ୧ ଭିଡିଓ ଆଉ ଫେରିପାଇଲେ ହଜିଯାଇଥିବା ସଂପର୍କ ! ନୂଆ ପରିଚୟ ସାଙ୍ଗକୁ ପରିବାର ଫେରାଇଦେଲା ସୋସିଆଲ୍ ମିଡିଆ , ନୂତନ ଜୀବନ ପାଇଲେ କୋକିଳକଣ୍ଠୀ ।  

997

କୋକିଳକଣ୍ଠୀ ନାମରେ ଏବେ ପରିଚିତ ହେଉଥିବା ସେହି ମହିଳା ଯେ କିଛି ଦିନ ପୂର୍ବରୁ ରେଲୱେ ଷ୍ଟେସନରେ ବସି “ଏକ୍ ପ୍ୟାର୍ କା ନଗମା ହୈ …” ଗୀତ ଗାଉଥିଲେ ଏବେ ଅଜ୍ଞାତରୁ ପ୍ରସିଦ୍ଧ ପାଲଟି ଯାଇଛନ୍ତି । ହଁ ଆଜ୍ଞା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଏହି ସୁରିଲି ଗୀତକୁ ଗାଇ ରାନୁ ମାରିଆ ମଣ୍ଡଳ ରାତାରାତି ଅଜଣାରୁ ଚର୍ଚ୍ଚିତ ହୋଇଯାଇଥିଲେ । ପଶ୍ଚିମବଙ୍ଗର ଏକ ରେଲୱେ ଷ୍ଟେସନରେ ବସି ଏହି ଗୀତ ଗାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ଏକ ୨ ମିନିଟ୍ ର ଭିଡିଓ ଉତ୍ତୋଳନ କରିଥିଲେ । କିନ୍ତୁ କିଏ ଜାଣିଥିଲା ତାଙ୍କର ଏହି ୨ ମିନିଟ୍ ର ଭିଡିଓ ହିଁ ତାଙ୍କ ଜୀବନକୁ ସମ୍ପୁର୍ଣ୍ଣ ଭାବେ ବଦଳାଇଦେବ । ସୋସିଆଲ୍ ମିଡିଆରେ ତାଙ୍କ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ କୋକିଳ ସ୍ୱରକୁ ବହୁତ ଲୋକ ଶୁଣିସାରିଲେଣି । ବର୍ତ୍ତମାନ ରାନୁଙ୍କ ଜୀବନ ପୁରା ପରିବର୍ତ୍ତନ ହୋଇଯାଇଛି । ୫୯ ବର୍ଷୀୟା ରାନୁଙ୍କୁ ଏବେ ସଂଗୀତ କାର୍ଯ୍ୟକ୍ରମରୁ ଅଫର୍ ଆସିବାକୁ ଲାଗିଲାଣି । କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ତାଙ୍କ ନୂତନ ବେଶଭୂଷାର ଫଟୋ ଭାଇରାଲ୍ ହୋଇଥିଲା ଯେଉଁଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟ ହେଉଥିଲା । ତେବେ ରାନୁଙ୍କ ପାଇଁ ସବୁଠାରୁ ଅଧିକ ଖୁସିର କଥା ହେଉଛି ତାଙ୍କ ଝିଅ । ରାନୁ ମଣ୍ଡଳ ଏବଂ ତାଙ୍କ ଝିଅ ୧୦ ବର୍ଷ ହେଲାଣି ସଂପର୍କରେ ନଥିଲେ । କିନ୍ତୁ ଏହି ଭାଇରାଲ୍ ଭିଡିଓ ମା’ଝିଅଙ୍କୁ ପୁନଶ୍ଚ ମିଶାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଏକ ଦଶନ୍ଧି ପରେ ରାନୁଙ୍କ ପାଖକୁ ତାଙ୍କ ଝିଅ ଆସି ପହଂଚିଥିଲେ । ଏନେଇ ରାନୁ କହିଥିଲେ ଯେ ଏହା ମୋର ଏହା ଦ୍ୱିତୀୟ ଜୀବନ ଏବଂ ମୁଁ ଏହି ନୂଆ ଜୀବନକୁ ଭଲ ଭାବରେ ଜିଇଁବାକୁ ଚେଷ୍ଟା କରିବି ।

ରାନୁଙ୍କୁ ରେଡିଓ ଚ୍ୟାନେଲ୍ ,ସିନେ ପ୍ରଡକ୍ସନ୍ ,ଲୋକାଲ୍ କ୍ଲବ୍ ରୁ ଲଗାତାର ଫୋନ୍ କଲ୍ ଆସୁଛି । ରାନୁଙ୍କ ଭିଡିଓ ପଶ୍ଚିମବଙ୍ଗର ରାଣାଘାଟ୍ ଷ୍ଟେସନରେ ଜଣେ ଯାତ୍ରୀ ଅତିନ୍ଦ୍ର ଚକ୍ରବର୍ତ୍ତୀ ରେକର୍ଡ କରିଥିଲେ । ସୋସିଆଲ୍ ମିଡିଆରେ ସେୟାର୍ କରିଥିବା ତାଙ୍କର ଏହି ଭିଡିଓ ରାନୁଙ୍କୁ ଷ୍ଟାର୍ କରିଦେଲା । ତେବେ ବର୍ତ୍ତମାନ କଲିକତା ନାମୀଦାମୀ ସିନେ ପ୍ରଡ୍ୟୁସର୍ ଫୋନ୍ କରି ପଚାରୁଛନ୍ତି ଯେ କ’ଣ ରାନୁ ପବ୍ଲିକ୍ ରେ ଗୀତ ଗାଇବା ପାଇଁ ଇଚ୍ଛୁକ ଅଛନ୍ତି? ରାନୁ ବରିଷ୍ଠ ଅଭିନେତା ଫିରୋଜ୍ ଖାନ୍ ଙ୍କ ଘରେ ମଧ୍ୟ କାମ କରିସାରିଛନ୍ତି । ପିଲାଟିଦିନରୁ ସଂଗୀତରେ ରୁଚି ରଖୁଥିବା ରାନୁ ୨୦ ବର୍ଷ ବୟସରେ ଅର୍କେଷ୍ଟ୍ରା ସହ ଅନେକ ଜିଲ୍ଲାରେ ଗୀତ ଗାଇଛନ୍ତି । ମୁଁ ଗୀତ ଗାଇ କିଛି ଟଙ୍କା ରୋଜଗାର ମଧ୍ୟ କରୁଥିଲି କିନ୍ତୁ ମୋ ପରିବାର ଏଥିପାଇଁ ମୋତେ ଅନୁମତି ଦେଲେ ନାହିଁ ଏବଂ ଅଧାରୁ ହିଁ ମୋତେ ମୋ କଳାରୁ ଓହରିବାକୁ ପଡିଥିଲା । ଆପଣଙ୍କୁ କହିରଖୁଛୁ ଚର୍ଚ୍ଚିତ ହେବା ପରେ ରାନୁଙ୍କୁ ଏକ ସ୍ଥାନୀୟ ବ୍ୟୁଟି ପାର୍ଲରରେ ମେକଓଭର୍ କରାଗଲା । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।