କନକ ବ୍ୟୁରୋ : ଚୌଦ୍ୱାର ସର୍କଲ୍ ଜେଲରେ ସଜ୍ଜା କାଟୁଥିବା କଏଦୀଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ୱାର୍ଡ ସାମନାରେ ବସି କଏଦୀମାନେ ମୋବାଇଲ୍ ଫୋନରେ ଫଟୋ ଉଠାଉଛନ୍ତି। ଜେଲ୍ ଭିତରେ ଚାଲିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ସବୁଠୁ ବଡ଼ ସାଂଘାତିକ ଘଟଣା ହେଉଛି, କଏଦୀଙ୍କୁ ଫୋନ ଯୋଗାଉଛନ୍ତି ଜେଲର ଜଣେ ଅଧିକାରୀ। ଯଦି ଜେଲରେ କେବେ ପୁଲିସ ଚଢ଼ଉ କରୁଛି, ତେବେ ତା ପୂର୍ବରୁ ସମ୍ପୃକ୍ତ ଅଧିକାରୀ କଏଦୀଙ୍କଠାରୁ ମୋବାଇଲ ଆଣି ଲୁଚାଇ ଦେଉଛନ୍ତି। ତୃତୀୟ ଥର ପାଇଁ ୱାର୍ଡରେ ଥିବା ପେସାଦାର ଅପରାଧୀ ମାଲଗୋଦାମ ନଦୀକୂଳସାହିର ହାପି ଓରଫ ବିଶ୍ବଜିତ ମହାନ୍ତିର ସେଲଫି ଭାଇରାଲ୍ ହୋଇଛି। ହାପି ଅନ୍ୟ ୪ ସହଯୋଗୀଙ୍କ ସହିତ ୫ ନମ୍ବର ୱାର୍ଡ ବାହାରେ ଓ ଭିତରେ ସେଲ୍ଫି ଉଠାଇଛି।
ସୂଚନା ଅନୁଯାୟୀ, ଯୋବ୍ରା ବ୍ୟାରେଜରେ ମାଛ ମରା ଘଟଣାକୁ କେନ୍ଦ୍ରକରି ନଦୀକୂଳ ସାହିର ତପନ ନାୟକକୁ ହତ୍ୟା ଘଟଣାରେ ମାଲଗୋଦାମ ଥାନା ପୁଲିସ ପେସାଦାର ଅପରାଧୀ ହାପି ସମେତ ତାର ଅନ୍ୟ ସହଯୋଗୀଙ୍କୁ ଗିରଫ କରି ଚୌଦ୍ବାର ଜେଲ୍କୁ ପଠାଇଥିଲା। ଚୌଦ୍ବାର ଜେଲରେ ଥିବା ହାପି ଓ ତାର ୪ ସହଯୋଗୀ ୱାର୍ଡ ନମ୍ବର ୫ର ପାହାଚ ପାଖରେ ବସି ମଉଜ କରୁଥିବାର ଗୋଟିଏ ସେଲ୍ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଥିବା ବେଳେ ଆଉ ଏକ ସେଲଫି ୱାର୍ଡ ଭିତରେ ଉଠାଇ ଛାଡ଼ିଛନ୍ତି। ଦୁଇଟି ଫଟୋ ହାପି ନିଜ ଆଣ୍ତ୍ରଏଡ୍ ଫୋନରେ ଉଠାଇ ବାହାରକୁ ପଠାଇଛି। ୨୦୧୮ ଦଶହରା ସମୟରେ ଦୁର୍ଦ୍ଦାନ୍ତ ରାଜା ଓ ହାଡ଼ିଆ ନିଜ ସେଲଫି ଉଠାଇ ଭାଇରାଲ୍ କରିଥିଲେ। ପରେ ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ଭାଇଙ୍କ ସହଯୋଗୀ ଠିକ ବର୍ଷକ ତଳେ ୨୦୧୮ ଡିସେମ୍ବର ୨ ତାରିଖରେ ସେଲଫି ଭାଇରାଲ୍ କରିଥିଲେ। ଦୀପୁ ଓ ଓମ୍ ହତ୍ୟାକାଣ୍ତରେ ସମ୍ପୃକ୍ତ ଧଳସାମନ୍ତ ଭାଇଙ୍କ ୩ ପ୍ରମୁଖ ସହଯୋଗୀ ଦେବାଶିଷ ସାହୁ ଓରଫ ଗୁଡ଼ୁ, ଦେବବ୍ରତ ଦାସ ଓରଫ ଲିପୁ ଏବ˚ ଭାରତ ବେହେରା ଓରଫ ଲିଟୁଙ୍କ ସେଲ୍ଫି ଉଠାଇ ଭାଇରାଲ୍ କରିଥିଲେ। ବାରମ୍ବାର ଚୌଦ୍ବାର ସର୍କଲ ଜେଲ୍ ଭିତରକୁ ମୋବାଇଲ୍ ଫୋନ୍ ଯିବା ଘଟଣା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି।
କାରାଗାର ବିଭାଗର ନିୟମ ଅନୁଯାୟୀ, ଜେଲ୍ ଅଧୀକ୍ଷକ ଯଦିଓ ଜେଲର ସମ୍ପୂର୍ଣ୍ଣ ବ୍ୟବସ୍ଥା ପାଇଁ ଉତ୍ତରଦାୟୀ କିନ୍ତୁ ଜେଲର ହାତରେ ଜେଲର ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ବ ରହିଥାଏ। ଜେଲରେ ସମସ୍ତ ପ୍ରକାର ନିଶାଦ୍ରବ୍ୟ କିମ୍ବା ମୋବାଇଲ୍ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ବେଆଇନ ହୋଇଥିବାବେଳେ ୱାର୍ଡରେ ଚଢ଼ଉ କରି ଏସବୁ ଜବତ କରିବା ଦାୟିତ୍ବ ଜେଲରଙ୍କର। କିନ୍ତୁ ଚୌଦ୍ବାର ସର୍କଲ ଜେଲରେ ବାରମ୍ବାର ବ୍ୟତିକ୍ରମ ଦେଖାଦେଇଛି। କମିସନରେଟ୍ ପୁଲିସରେ ସମ୍ପୃକ୍ତ ଅଫିସରଙ୍କ ଏଭଳି ଅସାଧୁ କାରବାର ସମ୍ପର୍କରେ ଚର୍ଚ୍ଚା ଉଠୁଥିବା ବେଳେ ପ୍ରମାଣ ଅଭାବରୁ ସେ ବାରମ୍ବାର ଖସିଯାଉଥିବା କୁହାଯାଉଛି।
ଚୌଦ୍ବାର ଜେଲ୍ ଅଧୀକ୍ଷକ ରାଜ କିଶୋର ସାହୁ କିନ୍ତୁ କହିଛନ୍ତି ଯେ, କଏଦୀଙ୍କ ଫଟୋ ଭାଇରାଲ୍ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଜେଲରଙ୍କ ସହିତ ଆଲୋଚନା କରି ସୂଚନା ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି, ପୂର୍ବରୁ ଜେଲରେ ଅନେକ ଥର ଚଢ଼ଉ ହୋଇଛି। ଏବେ ଫଟୋ ଭାଇରାଲ୍ ଘଟଣା ସାମ୍ନାକୁ ଆସିବା ପରେ ଏଥିପ୍ରତି ଦୃଷ୍ଟି ଦିଆଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/selfie2-750x430.jpg)