୬ ବର୍ଷରେ ସେଲ୍ଫି ନେଲାଣି ୨୫୯ ଜୀବନ ! ସେଲ୍ଫି ନେଇ ଭାରତରେ ମଲେଣି ସର୍ବାଧିକ ୧୫୯ ଜଣ ଲୋକ

145

ପିଲାଠାରୁ ବୃଦ୍ଧା ପର୍ଯ୍ୟନ୍ତ ସଭିଏଢଁ ଏବେ ସେଲ୍ଫି ମାୟାରେ ବାୟା । ଯିଏ ଯେଉଁଠି ପାରିଲା , ଯେଭଳି ପାରିଲା ନେଇଚାଲିଲା ସେଲ୍ଫି । ତେବେ ସେଲ୍ଫି ନେବା ସମୟରେ କେହି କେବେ ଚିନ୍ତା କରନ୍ତି ନାହିଁ କି ସେମାନେ ଯେଉଁ ସ୍ଥାନରେ ସେଲ୍ଫି ନେଉଛନ୍ତି ତାହା ତାଙ୍କ ପାଇଁ କେତେ ସୁରକ୍ଷିତ । ଅଧିକାଂଶ ସମୟରେ ଏଭଳି ବି ଦୃଷ୍ଟାନ୍ତ ରହିଛି କି, ଲୋକେ ଜାଣିଶୁଣି ବିପଦସଙ୍କୁଳ ଜାଗାରେ ସେଲ୍ଫି ନେଇ ମରଣ କୁ ଡାକି ଆଣନ୍ତି , ଯାହା ଫଳରେ ତାଙ୍କୁ ଅକାଳରେ ଜୀବନ ହାରିବାକୁ ପଡିଥାଏ । ସେଲ୍ଫିକୁ ନେଇ ଯୁବଗୋଷ୍ଠୀଙ୍କଠାରେ ବୃଦ୍ଧି ପାଉଥିବା କ୍ରେଜ୍ ଏବେ ଘାତକ ପ୍ରମାଣିତ ହୋଇଛି । ଏପରିକି ସେଲ୍ଫି କାରଣରୁ ପ୍ରତିଦିନ କେଉଁଠା କେଉଁଠି ଲୋକଙ୍କୁ ଅକାଳରେ ନିଜ ଜୀବନ ହରାଇବାକୁ ପଡୁଛି । ଯାହାର ଏକ ନମୂନା ଆଜି ଆମେ ଆପଣଙ୍କ ପାଖରେ ଉପସ୍ଥାପନା କରିଛୁ । ଏହି ରିପୋର୍ଟରେ ସେଲ୍ଫି କାରଣରୁ ସାରା ବିଶ୍ୱରେ କେତେ ଜଣଙ୍କର ମୃତ୍ୟୁ ଘଟିଛି ତାର ଏକ ଛୋଟିଆ ତାଲିକା ଉଲ୍ଲେଖ ରହିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଲ୍ଫି ଜନିତ ମୃତ୍ୟୁ ସର୍ବାଧିକ ଭାରତରେ ହୋଇଛି । ଏହା ପରେ ରୁଷ, ଆମେରିକା ଏବଂ ପାକିସ୍ତାନର ନମ୍ବର ଆସୁଛି । ଦେଶର ଜର୍ନାଲ ଅଫ ଫ୍ୟାମିଲି ମେଡିସିନ ଆଣ୍ଡ ପ୍ରାଇମେରୀ କେୟାରରେ ପ୍ରକାଶିତ ରିପୋର୍ଟ ମୁତାବକ, ଅକ୍ଟୋବର ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ସେଲ୍ଫି ନେବା ସମୟରେ ୨୫୯ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ଅଧିକାଂଶ ମୃତ୍ୟୁ ଘାଇ, ନଦୀ ତଥା ସମୁଦ୍ରରେ ବୁଡିବା ହେତୁ ଘଟିଛି । ଏହାପରେ ଚଳନ୍ତା ଟ୍ରେନ ସାମନାରେ ଏବଂ ହିଂସ୍ର ଜନ୍ତୁ ସହ ସେଲ୍ଫି ନେବା ଦ୍ୱାରା ଲୋକଙ୍କୁ ଜୀବନ ହରାଇବାକୁ ପଡିଛି । ସେହିପରି ବିଦେଶରେ ଉଚ୍ଚ ସ୍ଥାନରୁ ପଡି ଏବଂ ଜଙ୍ଗଲୀ ଜନ୍ତୁମାନଙ୍କ ସହ ସେଲ୍ଫି ନେବା ସମୟରେ ସବୁଠାରୁ ଅଧିକ ଲୋକ ମରିଛନ୍ତି ।

ଦ୍ୱିତୀୟ ସ୍ଥାନରେ ରହିଥିବା ଋଷରେ ସେଲ୍ଫି ଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଆମେରିକା । ଯେଉଁଠି ୧୪ଜଣଙ୍କର ମୃତ୍ୟୁ ସେଲ୍ଫି ଯୋଗୁଁ ହିଁ ଘଟିଛି । ତେବେ ଏସମସ୍ତ ମୃତ୍ୟୁ ଉଚ୍ଚସ୍ଥାନରୁ ସେଲ୍ଫି ନେବା ସମୟରେ ତଳ ଖସି ପଡିବା କାରଣରୁ ହିଁ ଘଟିଛି । ବିଶେଷଜ୍ଞଙ୍କ ମତରେ ମରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ମୃତକଙ୍କ ବୟସ ୨୦ରୁ ୨୯ ବର୍ଷ ମଧ୍ୟରେ ରହିଛି । ସେହିଭଳି ଭାରତରେ ୮୦ କୋଟିରୁ ଅଧିକ ଲୋକ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ସେଲ୍ଫି ନେବା ସମୟରେ ଦୁର୍ଘଟଣାର ବଶବର୍ତ୍ତି ହୋଇ ଜୀବନ ହରାଇଥିବା ଲୋକଙ୍କ ମଧ୍ୟରେ ୭୨ ପ୍ରତିଶତ ପୁରୁଷ ଥିବା ବେଳେ ବାକି ହେଉଛନ୍ତି ମହିଳା । ଏଭଳି ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । କାହିଁକି ନା ଦୁର୍ଗମ ଅଂଚଳମାନଙ୍କରେ ହେଉଥିବା ସେଲ୍ଫି ଜନିତ ମୃତ୍ୟୁ ଖବର ମିଳିପାରିନଥାଏ ।

ସେଲ୍ଫି ଜନିତ ମୃତ୍ୟୁ କେଉଁ ଦେଶରେ କେତେ

ଭାରତରେ ସେଲ୍ଫି ଜନିତ ମୃତ୍ୟୁ ସଂଖ୍ୟା ୧୫୯ ଥିବା ବେଳେ ଋଷରେ ୧୬, ଆମେରିକାରେ ୧୪, ପାକିସ୍ତାନରେ ୧୩ ଏବଂ କ୍ରୋଏସିଆରେ ୧୧ଜଣଙ୍କର ମୃତ୍ୟୁ ସେଲ୍ଫି କାରଣରୁ ଘଟିଛି ।