ସମୁଦ୍ରର ସାଂଘାତିକ ରୂପ । ସାତଭାୟାକୁ ମାଡି ଆସୁଛି ସମୁଦ୍ର, ଗାଁକୁ ତାଡି ନେଇଛି ଜୁଆର ।

1,082

କନକ ବ୍ୟୁରୋ : ଗାଁକୁ ଡରାଉଛି ସମୁଦ୍ର । କୂଳ ଲଙ୍ଘି ଜନବସତି ଆଡକୁ ମାଡି ଆସୁଛି ଦରିଆ । କେତେବେଳେ ଯେ, କଣ ହେବ ତାର ଠିକଣା ନାହିଁ । ପ୍ରତି ମୂହୁର୍ତରେ ଡରି ଡରି ବଞ୍ଚୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ସାତଭାୟା ଅଂଚଳର ମଣିଷ । ସମୁଦ୍ରର କରାଳ ରୂପରୁ ରକ୍ଷା କରିବା ପାଇଁ ସାତଭାୟା ଅଂଚଳର ୫୭୧ଟି ପରିବାରକୁ ସ୍ଥାନାନ୍ତର କରିଛନ୍ତି ସରକାର । ହେଲେ ଏବେ ବି ବହୁ ପରିବାର ସମୁଦ୍ର କୂଳରେ ରହିଛନ୍ତି । କାହାକୁ ପ୍ରଶାସନ ଥଇଥାନ କରିଥିବା ବଗପାଟିଆରେ ଜାଗା ମିଳିନାହିଁ ତ ପୁଣି କିଏ ଜୀବନ ଜୀବିକାକୁ ଆଦରି ଏଠାରେ ପଡି ରହିଛନ୍ତି । ସମୁଦ୍ରର ସୁସୁ ଗର୍ଜନ ଏବଂ ରାତିର ଅନ୍ଧାର ଭିତରେ ସାତଭାୟାର ଶହେ ପରିବାର କାଟୁଛନ୍ତି ଦୁଃଖରେ ଜୀବନ ।

ସମୁଦ୍ର ବେଳାଭୂମିର ୨୦ ଫୁଟ ଉପରେ ନଳକୂଅ । ଖୁଣ୍ଟ ଭଳି ଦେଖାଯାଉଥିବା ଏହି ନଳକୂଅ ପଛରେ ଲୁଚି ରହିଛି ସମୁଦ୍ରର କରାଳ ରୂପର କରୁଣ କାହାଣୀ । ଗାଁକୁ ତାଡି ନେଇଛି ଦରିଆ, ଆଉ ଗାଁର ସ୍ମୃତି ଭଳି ଠିଆ ହୋଇଛି ଏହି ନଳକୂଅ । ଏହାଛଡା ବେଳାଭୂମିର ଅନ୍ୟ ଏକ ସ୍ଥାନରେ ନଳକୂପ ବାଲିରେ ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ରାଜନଗର ସାତଭାୟା ବେଳାଭୂମୀରେ ଏହି ଚିତ୍ରକୁ ଦେଖିଲେ ଯେ କେହି ବି ଅନୁମାନ କରିପାରିବ କେତେ ଭୟଙ୍କର ଏଠି ସମୁଦ୍ର । ବେଳାଭୂମିରେ ବୁଲୁଥିବା ନାଲି କଙ୍କଡା ଯେତିକି ଚଂଚଳ ଏଠାକାର ଲୋକଙ୍କ ଜୀବନ ସହ ସମସ୍ୟା ସେତିକି ନିବିଡ ।

ସାତଭାୟା ଅଂଚଳବାସୀଙ୍କ ଦୁଃଖ ବାବଦରେ ଜାଣିବା ପାଇଁ ମଗରକନ୍ଦା ଗାଁରେ ଗୋଟିଏ ଦିନ ବିତାଇଥିଲେ ଆମ ପ୍ରତିନିଧି । ସମୁଦ୍ର ଆଁରେ ଥିବା ଗାଁକୁ ଚାରିଆଡୁ ଘେରି ରହିଛି ଜଙ୍ଗଲ । ଆଉ ଗାଁକୁ ରାସ୍ତାଟିଏ ନଥିବା ବେଳେ ଯା’ଆସ ପାଇଁ ଗୋଟିଏ ହୁଲି ଡଙ୍ଗା ହିଁ ଭରସା । ଗାଁରେ ବିଜୁଳି ନଥିବା ବେଳେ ସମୁଦ୍ରର ଗର୍ଜନ ଭିତରେ ଅନ୍ଧାରରେ କଟୁଛି ଜୀବନ । ସଞ୍ଜ ନଇଁଲେ ଏମାନଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଏ ।

ପୂର୍ବରୁ ସମୁଦ୍ର ମାଡି ଆସିବାରୁ …
୧. ସାତଭାୟା ଅଂଚଳ ୫୭୧ଟି ପରିବାରକୁ ସ୍ଥାନାନ୍ତର କରିଛନ୍ତି ରାଜ୍ୟ ସରକାର ।
୨. ସାତଭାୟା, କାନପୁର, ଗୋବିନ୍ଦପୁର, ତେନ୍ତୁଳିଆ, କୋଲା, ସାହେବ ନଗର ଓ ସଦାନନ୍ଦପୁର ଗ୍ରାମବାସୀଙ୍କୁ ଗୁପ୍ତି ପଂଚାୟତ ବଗପାଟିଆରେ ଥଇଥାନ କରିଛି ପ୍ରଶାସନ ।
୩. ୨୯୯୨ ମସିହାରୁ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇ ୨୦୧୮ ସୁଦ୍ଧା ସାତଭାୟାର ମା’ ପଂଚୁବରାହୀ ମନ୍ଦିର ଯାଏଁ ସ୍ଥାନାନ୍ତର କରାଯାଇଛି ।
୪. ଏବେ ବି ଆହୁରି ୧୪୮ଟି ପରିବାର ସାତଭାୟା ସମୁଦ୍ର କୂଳରେ ଭୟ ଆତଙ୍କ ଭିତରେ ବଂଚିଛନ୍ତି ।
ତେବେ ଏସବୁ ଭିତରେ ବଗପାଟିଆରେ ଜାଗା ନମିଳିବାରୁ ମଗରକନ୍ଦା ଗ୍ରାମବାସୀ ସମୁଦ୍ର କୂଳରେ ଥିବା ବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଥଇଥାନ କରାଯିବ ବୋଲି କହିଛନ୍ତି ରାଜନଗର ବିଧାୟକ ।