କନକ ବ୍ୟୁରୋ : ଶିକ୍ଷୟିତ୍ରୀଙ୍କ ହାତରେ ଟଏଲେଟ୍ ସଫା କରାଇଛନ୍ତି ବିଇଓ। ଏହି ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ତଳଜଙ୍ଗ ବିଦ୍ୟାଳୟରେ। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଶିକ୍ଷକ ମହଲରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। ସୂଚନା ମୁତାବକ, ପୁରୀ ସଦର ବ୍ଲକ୍ ଶିକ୍ଷା ଅଧିକାରୀ ମମତା ମିଶ୍ର ଦିନକ ତଳେ ତଳଜଙ୍ଗ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ବୁଲି ଦେଖିବା ବେଳେ ଶୌଚାଳୟ ଅପରିଷ୍କାର ଅବସ୍ଥାରେ ପଡ଼ିଥିବା ଦେଖି ଶ୍ରୀମତୀ ମିଶ୍ର ସଂପୃକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କୁ ଡାକି ଶୌଚାଳୟ ଆଗରେ ଥିବା ଅନାବନା ଘାସ ସବୁ ସଫା କରାଇଥିଲେ।
ପରେ ଶୌଚାଳୟ ଘର ସହ ପ୍ୟାନ୍ ସଫା କରାଇଥିଲେ। ପାଣି ଢ଼ାଳି ଧୋଇବାକୁ କହିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ମଧ୍ୟ ଆଜ୍ଞା ମାନି ଝାଡ଼ୁ ଧରି ଏବଂ ପାଣିଢ଼ାଳି ଶୌଚାଳୟ ସଫା କରିଥିଲେ। ବିଇଓଙ୍କ ଉପସ୍ଥିତିରେ ହୋଇଥିବା ଏହି କାର୍ଯ୍ୟର ଫଟୋ କେହି ସୋସିଆଲ୍ ମିଡିଆରେ ଭାଇରାଲ କରିଛି। ଯାହାକୁ ନେଇ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ବି ନିନ୍ଦିତ ହୋଇଛନ୍ତି। ଏ ସଂପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ମିଶ୍ର କହିଛନ୍ତି, ସ୍କୁଲ ପରିଦର୍ଶନ ସମୟରେ ତଳଜଙ୍ଗ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଳମ୍ବରେ ପହଞ୍ଚିଥିବା ଜଣାପଡ଼ିଥିଲା। ଏଣୁ ତାଙ୍କ ଦରମା ବନ୍ଦ ରଖାଯାଇଛି। ସେହିପରି ଅନୁଧ୍ୟାନ ସମୟରେ ବିଦ୍ୟାଳୟ ଶୌଚାଳୟ ଅପରିଷ୍କାର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଣୁ ସେ ନିଜେ ଶୌଚାଳୟ ସଫା କରିଥିଲେ। ତାଙ୍କ ସହ ଅନ୍ୟ ଶିକ୍ଷୟିତ୍ରୀମାନେ ବି ଶୌଚାଳୟ ସଫା କରିଥିଲେ। ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ ସଂପର୍କରେ ସେ କିଛି ଜାଣିନଥିବା କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Untitled-5-8-624x430.jpg)