ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଦିଆଯିବ ଅଧିକ ଗୁରୁତ୍ୱ । ୪୫ ମିନିଟ୍ ପରିବର୍ତ୍ତେ କରାଯିବ ଦେଢ ଘଂଟା କ୍ଲାସ୍

ପିଲାଙ୍କ କମ ମାର୍କକୁ ନେଇ ଚିନ୍ତାରେ ସରକାର

1,697

କନକ ବ୍ୟୁରୋ: ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ସ୍କୁଲରେ ଏଥର ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଉପରେ ଫୋକସ । ଏଣିକି ସ୍କୁଲରେ ଏହି ସବୁ ବିଷୟରେ ୪୫ ମିନିଟ୍ ପରିବର୍ତ୍ତେ ଦେଢ଼ ଘଂଟା ହେବ କ୍ଲାସ । ୩ଟି ବିଷୟରେ ପିଲାମାନେ କମ୍ ମାର୍କ ରଖୁଥିବାରୁ ଏପରିି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ନର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଶ୍ରୀଯୁକ୍ତ ଦାସଙ୍କ କହିବା ଅନୁସାରେ, ଶିକ୍ଷା ବିଭାଗରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ନିଆଯାଇଛି ଏବଂ ଆଗକୁ ବି ମଧ୍ୟ ନିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସମୀକ୍ଷା କରିବା ଦ୍ୱାରା ଜଣାପଡିଛି କି, ଅଧିକାଂଶ ପିଲାଙ୍କର ଇଂରାଜୀ, ବିଜ୍ଞାନ ଏବଂ ଗଣିତରେ ରେଜଲ୍ଟ କମ୍ ରହୁଛି । ତେଣୁ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ବିଶେଷ କରି ଏହି ତିନୋଟି ବିଷୟକୁ ଦେଢ ଘଂଟା ପାଠପଢାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନ୍ୟ ବିଷୟ ଗୁଡିକୁ ନିର୍ଧାରିତ ସମୟ ତଥା ୪୫ ମିନିଟ୍ ପଢାଯିବା ବେଳେ ଏହି ତିନୋଟି ବିଷୟ ଉପରେ ଦୈନିକ ଦେଢ ଘଂଟା ଲେଖାଏଁ ପାଠପଢାଇବାକୁ କୁହାଯାଇଛି ।

ଚଳିତ ଶିକ୍ଷାବର୍ଷରୁ ନିୟମ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନିୟମ ଲାଗୁ ହେବ । ଏହାଛଡା ପାଇଲଟ ପ୍ରୋଜେକ୍ଟ ହିସାବରେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଯେଉଁଠାରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ । ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ କିଭଳି ପିଲା ଅଧିକ ନମ୍ବର ରଖିବେ ତାହା ଉପରେ ଦୃଷ୍ଟି ଦିଆଯିବ । ବର୍ତ୍ତମାନ ଜିଲ୍ଲା ସ୍ତରରେ ଗୋଟିଏ ସ୍କୁଲରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ପରେ ବ୍ଲକ ସ୍ତରରେ ମଧ୍ୟ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।