ବଡ ମେଡିକାଲ ହୃଦରୋଗ ବିଭାଗ ଅଗ୍ନିକାଣ୍ଡ ଘଟଣା : ଆଜି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

29

କଟକ ବ୍ୟୁରୋ, କନକ ନ୍ୟୁଜ୍: କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ । ଗତକାଲି ଅପରାହ୍ନରେ ହୃଦରୋଗ ବିଭାଗର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଏଠାରେ ଥିବା ଡ୍ୟୁଟିରୁମରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା ଏବଂ ଏଠାରେ ଥିବା ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା । ଏହି ଘଟଣା ଘଟିବା ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ଅନ୍ୟପଟେ ମେଡିକାଲ କର୍ତୃପକ୍ଷ ହୃଦରୋଗ ବିଭାଗର ୱାର୍ଡରେ ଥିବା ସମସ୍ତ ୬୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ ।

ଏହି ଘଟଣାର ଖବର ପାଇ ଏସସିବି କର୍ତୃପକ୍ଷ, ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ପହଂଚି ଥିଲେ । ପରେ ପରେ ଭୁବନେଶ୍ୱରରୁ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍ୱାସ୍ଥ୍ୟ ସଚିବ ମଧ୍ୟ ଏସସିବି ପରିଦର୍ଶନ କରିଥିଲେ । ଏସସିବିରେ ଅଗ୍ନିକାଣ୍ଡକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଜିଲ୍ଲପାଳଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି । ଏହାର ପ୍ରାଥମିକ ରିପୋର୍ଟ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଗତକାଲି ସୂଚନା ଦେଇଥିଲେ । ଅନ୍ୟପଟେ ଏସସିବି ପରି ଏକ ବଡ ମେଡିକାଲରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରୋଗୀଙ୍କ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି ।