ଦୁର୍ଘଟଣାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଯୁବକ । ଆଖି ଆଡେଇ ଚାଲିଯାଉଥିଲା ସ୍ୱାର୍ଥପର ସମାଜ, କିନ୍ତୁ ନିଜ ଗାଡିରେ ଅଜଣା ଯୁବକଙ୍କୁ ନେଇ ନୂଆ ଜୀବନ ଦେଲେ ଏସସିବି ଡାକ୍ତର ।

837

କନକ ବ୍ୟୁରୋ : କୁହାଯାଏ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ । ଯିଏ ମଣିଷକୁ ମୃତ୍ୟୁ ମୁହଁରୁ ଉଦ୍ଧାର କରିଥାନ୍ତି, ନୂଆ ଜୀବନ ଦେଇଥାନ୍ତି । ମୃତୁାକୁ ମାତ୍ ଦେଇ ମରଣ ମୁହଁରୁ ମଣିଷକୁ ଫେରାଇ ଆଣିଥାନ୍ତି । ସେଭଳି ଜଣେ ଡାକ୍ତର ହେଉଛନ୍ତି ଶାରଦା ପ୍ରସାଦ ମହାନ୍ତି । ଯିଏ ଦେବଦୂତ ସାଜି ଜଣେ ଯୁବକଙ୍କ ଜୀବନ ବଂଚାଇଛନ୍ତି ।

ଶନିବାର ସକାଳ ପ୍ରାୟ ୧୦ଟା । ଖଣ୍ଡଗିରି ଥାନା ଅଧୀନ ଫାୟାରଷ୍ଟେସନ୍‌ ଛକ । ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଜାତୀୟ ରାଜପଥ କଡ଼ରେ ଛଟପଟ ହେଉଥାନ୍ତି । ସେହି ରାସ୍ତାରେ ଅନେକ ଗାଡ଼ି ମୋଟର ଯିବା ଆସିବା କରୁଥାଏ । ଲୋକମାନେ ବି ଯା’ଆସ କରୁଥାନ୍ତି । କିନ୍ତୁ କେହି ତାଙ୍କୁ ହସ୍ପିଟାଲ ନ ନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରି ଚାଲିଥାନ୍ତି । ଅପେକ୍ଷା କରିଥାନ୍ତି ଆମ୍ବୁଲାନ୍ସ ଆସିବା ପରେ ଯୁବକଜଣକ ହସ୍ପିଟାଲକୁ ଯିବେ ।

ଆଉ ଠିକ୍‌ ସେତିକିବେଳେ ସେହି ଛକ ଅତିକ୍ରମ କରୁଥିବା କଟକ ବଡ଼ ମେଡିକାଲର ଡାକ୍ତର ଶାରଦା ପ୍ରସାଦ ମହାନ୍ତିଙ୍କ ନଜର ଉକ୍ତ ଯୁବକଙ୍କ ଉପରେ ପଡ଼ିଥିଲା । ସେ ନିଜ କାର୍‌ ଅଟକାଇ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ମେଡିକାଲ ନେବା ଲାଗି ଉଦ୍ୟମ କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଲୋ‌କେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ପରେ ଡାକ୍ତର ଶ୍ରୀ ମହାନ୍ତି ତାଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲର ଏମରଜେନ୍ସି ବିଭାଗରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରାଇଥିଲେ । ଯାହା ବି ଔଷଧ ଓ ଇଂଜେକସନ୍ ଲାଗିଥିଲା, ଡାକ୍ତର ମହାନ୍ତି ତାହା ମଧ୍ୟ ଯୋଗାଡ଼ କରାଇ ଦେଇଥିଲେ । ଆଉ ଏହାର କିଛି ସମୟ ପରେ ଯୁବକଙ୍କ ଚେତା ଫେରିଥିଲା । ପରେ ଡାକ୍ତର ଶାରଦା ମହାନ୍ତି ତାଙ୍କ ଘରଲୋକଙ୍କ ସହ ମୋବାଇଲରେ କଥା ମଧ୍ୟ କରାଇ ଦେଇଥିଲେ ।

କଥାବାର୍ତା ପରେ ଜଣାପଡ଼ିଥିଲା ଯେ ଯୁବକଙ୍କ ନାଁ ରଂଜନ ନାୟକ । ଘର ଗଞ୍ଜାମରେ । ଏଠାରେ ସେ ସାଲିଆସାହିରେ ରହୁଥିଲେ । ଆଜି ସେ ଗାଁକୁ ଯିବା ଲାଗି ଫାୟାର୍‌ ଷ୍ଟେସନ୍‌ ଛକକୁ ଆସିବା ବେଳେ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ଯାଇଥିଲେ । ଖବର ପାଇ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ରଂଜନଙ୍କୁ ଦେଖାଶୁଣା କରିବା ଆରମ୍ଭ କରିଛନ୍ତି ।

ଜାତୀୟ ରାଜପଥ କଡ଼ରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଅଚେତ ହୋଇ ପଡ଼ିଥିବା ବେଳେ କେହି ଜଣେ ବି ତାଙ୍କୁ ହସ୍ପିଟାଲ ନ ନେବା ଘଟଣା ଲୋକଙ୍କ ମାନବିକତାର ଅଭାବକୁ ଦର୍ଶାଉଛି । କାରଣ ଯେଉଁ ଛକ ଉପରେ ଏଭଳି ଘଟଣା ଘଟିଥିଲା, ସେହି ଛକରୁ ମାତ୍ର ୩୦ ମିଟର ଦୂର‌ି ରେ ଏକ ହସ୍ପିଟାଲ ରହିଛି । ଯେ କୌଣସି ବ୍ୟକ୍ତି ଚାହିଁଥିଲେ ତାଙ୍କୁ ସେଠାରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଇ ପାରିଥାନ୍ତେ । ଅନ୍ୟପକ୍ଷରେ ଡାକ୍ତର ଶ୍ରୀ ଶାରଦା ମହାନ୍ତିଙ୍କ ଏଭଳି କାର୍ୟ୍ୟକୁ ଆଜି ଅନେକ ପ୍ରଶଂସା କରିଛନ୍ତି । ଦେବଦୂତ ସାଜି ସେ ଜଣେ ଯୁବକକୁ ମରଣ ମୁହଁରୁ ଫେରାଇ ଆଣିଲେ ବୋଲି ଚର୍ଚ୍ଚା ହେଉଛି ।