ବିହାର ଶିଶୁ ମୃତ୍ୟୁ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ । ୧୦ ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ଦେଲେ ନିର୍ଦ୍ଦେଶ ।

137

କନକ ବ୍ୟୁରୋ : ବିହାର ଶିଶୁ ମୃତ୍ୟୁ ମାମଲାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଏହା ଉପରେ ଆଜି ଶୁଣାଣି କରି ଆସନ୍ତା ୧୦ ଦିନ ଭିତରେ ଜବାବ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ହେଲଥ ସର୍ଭିସ, ନ୍ୟୁଟ୍ରିସନ ଓ ହାଇଜିନ୍ ଏହି ୩ଟି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ଏହି ୩ଟି ଜିନିଷ ମୌଳିକ ଅଧିକାର । ଏଣୁ ଏହା ମିଳିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ଏହାକୁ ନେଇ କୌଣସି ଯୋଜନା ଲାଗୁ ହୋଇଛି କି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିହାରରେ ମସ୍ତିସ୍କ ଜରରେ ଶିଶୁ ମୃତ୍ୟୁ ଥମିବାର ନା ନେଉନାହିଁ । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪୦ ଟପିଲାଣି । ତେଣୁ ଏହା ଉପରେ କିଭଳି କାବୁ କରାଯାଇପାରିବ ସେ ନେଇ ବିଚାର କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । ବିହାର ସରକାରଙ୍କୁ ମେଡିକାଲ ସୁବିଧା ସୁଯୋଗ ବୃଦ୍ଧି ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଥିଲା । ତା ସହ କେନ୍ଦ୍ର ସରକାର ମଧ୍ୟ ଏଥିରେ ଆକ୍ସନ ନେବା ପାଇଁ କୁହାଯାଇଥିଲା । ଗତ ବୁଧବାର ଏହା ଉପରେ ଆବେଦନ ହୋଇଥିଲା । ଏବଂ କୋର୍ଟ ଆଜି ଶୁଣାଣି କରିବାକୁ ସ୍ଥିର କରିଥିଲେ ।