ଇତିଶ୍ରୀ କେସର ଇତି ! ସିବିଆଇ ଆସିଲା, ମାମଲାକୁ ଘାଣ୍ଟିଲା । ହତ୍ୟାକାରୀର ପାଇଲାନି ଟେର, ରହସ୍ୟରେ ରହିଗଲା ଟିକିରି ଶିକ୍ଷୟତ୍ରୀ ହତ୍ୟାର କାହାଣୀ

35

କନକ ବ୍ୟୁରୋ : ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ସିବିଆଇ କ୍ଲୋଜର ରିପୋର୍ଟ ଦେବା ପରେ ଆଜି ସୁପ୍ରିମକୋର୍ଟ ମାମଲା ବନ୍ଦ କରିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣାର ସେହି ଅଜ୍ଞାତ ହତ୍ୟାକାରୀ କିଏ, ତାହା ଜଣାପଡିଲା ନାହିଁ । ଦୀର୍ଘ ୪ ବର୍ଷ ଧରି ତଦନ୍ତ ଚାଲିଲା, ସିବିଆଇ ମଧ୍ୟ ଦୀର୍ଘ ବର୍ଷ ଧରି ତଦନ୍ତ କଲା, କିନ୍ତୁ ପୁରା ଘଟଣା ରହସ୍ୟଭିତରେ ହିଁ ରହିଗଲା ।

cbiନୋ ୱାନ୍ କିଲ୍ଡ ଇତିଶ୍ରୀ ! ଇତିଶ୍ରୀଙ୍କୁ କେହି ମାରି ନାହାଁନ୍ତି! ସରିଲା ସିବିଆଇ ତଦନ୍ତ,ମାମଲା ଅନ୍ତ ମଧ୍ୟ ଘଟିଲା । ଠିକ୍ ଫିଲ୍ମର କାହାଣୀ ଭଳି ଘଟିଛି ବହୁଚର୍ଚ୍ଚିତ ଇତିଶ୍ରୀ ମାମଲାର କ୍ଲାଇମେକ୍ସ । ୪ ବର୍ଷ ତଳେ ଯେଉଁ ଘଟଣା ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା, ସେହି ଘଟଣାର ପରିଣାମ ଯେ ଏଇୟା ହେବ ଏହା ହୁଏତ କେହି କଳ୍ପନା ବି କରିନଥିବେ । ପୁଲିସ୍, କ୍ରାଇମବ୍ରାଂଚ୍ ଏବଂ ସିବିଆଇର ଲମ୍ବା ଯାତ୍ରା ପରେ ବି ଆଜି ଫଳଘର ଶୂନ । ନ୍ୟାୟ ପାଇବାରୁ ବଞ୍ଚିତ ହେଲେ ଇତିଶ୍ରୀ ।

ଇତିଶ୍ରୀ ହତ୍ୟା ମାମଲାରେ ତଦନ୍ତ ଭାର ଥିଲା ସିବିଆଇ ଉପରେ । କିନ୍ତୁ ଅନେକ ଖୋଳତାଡ ପରେ ସିବିଆଇ ମଧ୍ୟ ହତ୍ୟାକାରୀର ସୁରାକ ପାଇଲାନି । ଆଉ ଏହି ଆଧାରରେ ସିବିଆଇ ୨୦୧୭, ମେ ୧ ତାରିଖରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା ଫାଇନାଲ ଷ୍ଟାଟସ୍ ରିପୋର୍ଟ ଏବଂ ଗତ ୧୭ ତାରିଖରେ କ୍ଲୋଜର ରିପୋର୍ଟ । ଆଉ ଏହି ରିପୋର୍ଟ ଆଧାରରେ ମାମଲାକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପିପିଲିରୁ ରାୟଗଡ଼ା ଭାୟା ଭୁବନେଶ୍ୱର, ନିଜ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ପାଇଁ ଲଢ଼ିଥିଲେ, ଭିଟାମାଟି ଛାଡ଼ି ୬୦୦ କିଲୋମିଟର ଦୂରରେ ରହୁଥିବା ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ । ତକ୍ରାଳୀନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବା ସହ ଏନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତଙ୍କୁ ଫେରାଦ ହୋଇଥିଲେ ।

itishree୨୭ ଅକ୍ଟୋବର ୨୦୧୩ ! ଶୁଭିଥିଲା ଇତିଶ୍ରୀର ଆର୍ତ୍ତଚିକ୍ରାର ।ପିପିଲିରୁ ଯାଇ ରାୟଗଡ଼ାର ଟିକିରୀରେ ଶିକ୍ଷକତା କରୁଥିବା ଇତିଶ୍ରୀଙ୍କୁ ନିଆଁ ଲଗାଇ ଦିଆଯାଇଥିଲା । ରାୟଗଡ଼ାରୁ ବିଶାଖାପାଟଣା, ଜୀବନ-ମୃତ୍ୟୁର ସଂଗ୍ରାମ ଭିତରେ ଶେଷରେ ହାରି ଯାଇଥିଲେ ଇତିଶ୍ରୀ ପ୍ରଧାନ । କିନ୍ତୁ ମୃତ୍ୟୁ ପୂର୍ବରୁ ଦେଇଯାଇଥିଲେ ୪ଟି ମୃତ୍ୟୁକାଳୀନ ଜମାନବନ୍ଦୀ । କିନ୍ତୁ ଇତିଶ୍ରୀଙ୍କ ଜମାନବନ୍ଦୀ ଆଧାରରେ ସିବିଆଇ ତଦନ୍ତ କରିଥିଲା କି ନାହିଁ ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇତିଶ୍ରୀଙ୍କ ମୃତ୍ୟୁ ପରେ ନ୍ୟାୟ ପାଇଁ କୋର୍ଟରେ ଆରମ୍ଭ ହୋଇଥିଲା ଲଢେଇ । ୩୬ ଜଣ ସାକ୍ଷୀଙ୍କ ବୟାନ ସହ କୋର୍ଟରେ ୬୦ଟି ଦଲିଲ ଉପସ୍ଥାପନ ହୋଇଥିଲା । କିନ୍ତୁ ବୋଧହୁଏ ଇତିଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଏତିକି ପ୍ରମାଣ ଯଥେଷ୍ଟ ନଥିଲା । ଏସବୁ ଭିତରେ ଘଟଣାର ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ହେଲେ କିଏ ସେ ଅଜ୍ଞାତ ହତ୍ୟାକାରୀ ? ସେନେଇ ଟେର ପାଇଲାନି ସିବିଆଇ । ଯେଉଁଥି ପାଇଁ ଇତିଶ୍ରୀଙ୍କ ପରିବାର ଲୋକ ସିବିଆଇ ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାକୁ ନେଇ ଉଠାଇଛନ୍ତି ପ୍ରଶ୍ନବାଚୀ ।

ସରିଗଲା କାହାଣୀ, ବନ୍ଦ ହୋଇଗଲା ମାମଲା । ଆଉ ଏହା ସହ ରହସ୍ୟମୟ ଚରିତ୍ର ପାଲଟିଗଲା ଇତିଶ୍ରୀ ହତ୍ୟା ମାମଲାର ଅଜ୍ଞାତ ହତ୍ୟାକାରୀ । ଆଋଷି ଏବଂ ଜେସିକା ହତ୍ୟା ଘଟଣା ଭଳି ଇତିଶ୍ରୀ ହତ୍ୟା ମାମଲାର ଦୋଷୀ କିଏ, ସେମିତି ସବୁ ଦିନ ପାଇଁ ରହସ୍ୟ ହୋଇରହିଗଲା ।