ଅନଲାଇନରେ ସାବିତ୍ରୀ ବ୍ରତ ପାଳନ । ଭିଡିଓ କଲିଂରେ ଦୂରରେ ଥିବା ସ୍ୱାମୀଙ୍କ ଆର୍ଶୀବାଦ ନେଲେ ସ୍ତ୍ରୀ । ସଙ୍ଗରୋଧ କେନ୍ଦ୍ରରୁ ଆସିଲା ରୋଚକ ଚିତ୍ର, ସାମାଜିକ ଦୂରତା ରଖି ସ୍ୱାମୀଙ୍କୁ ପୂଜାର୍ଚ୍ଚନା କଲେ ମହିଳା ।

1,077

କନକ ବ୍ୟୁରୋ: ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓଡିଆ ପରମ୍ପରାରେ ମହିଳାମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । କରୋନା ଯୋଗୁଁ ବହୁ କଟକଣା ଥିବା ବେଳେ ଆସିଛି କିଛି ନିଆରା ଚିତ୍ର । ସ୍ୱାମୀଙ୍କ ପୂଜା କରି ଏବଂ ତାଙ୍କ ଆଶୀର୍ବାଦ ନେବାର ପରମ୍ପରା ରହିଛି ସାବିତ୍ରୀ ବ୍ରତରେ । କିନ୍ତୁ କରୋନା ଜନିତ ପ୍ରତିକୂଳ ପରିସ୍ଥିତିରେ ଏହା ସମ୍ଭବ ହୋଇ ନାହିଁ । ଫଳରେ ବଦଳିଛି ଚିତ୍ର ।

ବରଗଡ ଟାଉନ ଥାନା ଅଧିକାରୀ ଥିବା ଦିଲ୍ଲୀପ ବେହେରା ଏହି ବ୍ରତ ସମୟରେ ଘରକୁ ଯାଇ ପାରି ନାହାନ୍ତି । କରୋନା ଯୋଗୁଁ ତାଙ୍କର ବହୁ ଦାୟିତ୍ୱ ରହିଛି । ଫଳରେ ଭିଡିଓ କଲିଂ ମାଧ୍ୟମରେ ପତ୍ନୀ ସହ କଥା ହୋଇ ସାବିତ୍ରୀ ବ୍ରତର ପରମ୍ପରା ରକ୍ଷା କରିଛନ୍ତି ଏହି ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଜଣକ । ଠିକ୍ ସେହି ପରି ଏକ ଚିତ୍ର ଆସିଛି ସୋର ଅଂଚଳରୁ । ସ୍ୱାମୀ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ କେଦାରପୁର ଅଂଚଳର ମହିଳା ଭିଡିଓକଲିଂ ମାଧ୍ୟମରେ ସ୍ୱାମୀଙ୍କ ପୂଜା ଶେଷ କରିଛନ୍ତି ।

ଅନ୍ୟପଟେ କେତେକ ସଙ୍ଗରୋଧ କେନ୍ଦ୍ରରୁ ଆସିଛି ରୋଚକ ଚିତ୍ର । ଏହି ସଙ୍ଗରୋଧ କେନ୍ଦ୍ରରେ ମହିଳା ମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଆଠଗଡର ଖଣ୍ଡହତା ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡିଆମାନଙ୍କ ପାଇଁ ଏହି ବ୍ରତ ନେଇ ସମସ୍ତ ବ୍ୟବସ୍ଥା କରିଥିଲେ ସ୍ଥାନୀୟ ସରପଂଚ । ସାମାଜିକ ଦୂରତା ସହ ମାସ୍କ ପିନ୍ଧି ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି । ସେହିପରି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡପଦା ଗାଁରେ ଥିବା ସଙ୍ଗରୋଧରେ କେନ୍ଦ୍ରରେ ମଧ୍ୟ ପ୍ରବାସୀ ମହିଳାଙ୍କ ପାଇଁ ସାବିତ୍ରୀ ବ୍ରତର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ସମସ୍ତଙ୍କ ପାଇଁ ପୂଜା ସାମଗ୍ରୀ ଯୋଗାଇ ଦେଇଥିଲେ ସ୍ଥାନୀୟ ସରପଂଚ ।

ସେପଟେ କରୋନା କଟକଣା ପାଇଁ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି ସରକାର । ଫଳରେ କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ପୂଜା କରିପାରିବେ ନାହିଁ । ତେଣୁ ଖାଁ ଖାଁ ଲାଗୁଛି ସମସ୍ତ ମନ୍ଦିର । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କିଛି ମହିଳା ଭକ୍ତ ବଡଦାଣ୍ଡରେ ପତିତପାବନକୁ ଦର୍ଶନ କରି ଭୋଗ କରୁଥିବା ଦେଖିବାକୁ ମିଳିଛି ।