ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ! ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି କରାଇଲେ ଶପଥପାଠ

86

କନକ ବ୍ୟୁରୋ : ଶପଥ ନେଲେ ସତ୍ୟପାଲ । ଓଡିଶାର ନୂଆ ରାଜ୍ୟପାଳ ଭାବେ ଆଜି ସତ୍ୟପାଲ ମଲ୍ଲିକ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ସତ୍ୟପାଲଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥପାଠ କରାଇଛନ୍ତି । ରାଜଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରୀ ମଲିକ ଶପଥ ଗ୍ରହଣ କରିଛନ୍ତି। ବିହାରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡିଶାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏଣିକି ବିହାର ସମେତ ଓଡିଶାର ଦାୟିତ୍ୱ ତୁଲାଇବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିହାର ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ ଅମାତ ସ୍ୱାଗତ ଜଣାଇ ଥିଲେ। ଏହା ପରେ ଶ୍ରୀ ମଲ୍ଲିକ ରାଜଭବନ ଅଭିମୁଖେ ଯାଇଥିଲେ। ଓଡ଼ିଶା ରାଜ୍ୟପାଳ ଏସ୍ ସି ଜମିରଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମିଳିଛି। ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି।

ବିହାର ରାଜ୍ୟପାଳ ଶ୍ରୀ ମଲ୍ଲିକ ଉତ୍ତରପ୍ରଦେଶ ବାସିନ୍ଦା। ଗତ ବର୍ଷ ସେପ୍ଟେମ୍ବର ୩୦ରେ ସେ ବିହାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ସେ ରାଜ୍ୟସଭା ଓ ଲୋକସଭା ସାଂସଦ ଭାବେ କାର୍ୟ୍ୟ କରିଛନ୍ତି। ୭୧ ବର୍ଷିଅ ସତ୍ୟପାଲ୍ ଗତବର୍ଷ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେ ପ୍ରଥମ ଥର ଲାଗି ୧୯୭୪ରେ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରୁ ୧୯୮୬ ଏବଂ ପୁଣି ୧୯୮୬ରୁ ୧୯୯୨ ପର୍ୟ୍ୟନ୍ତ ୨ ଥର ସେ ରାଜ୍ୟସଭା ସଭ୍ୟ ଥିଲେ। ୧୯୮୯ରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମଧ୍ୟ ମିଳିଥିଲା। ବିହାର ରାଜ୍ୟପାଳ ନିଯୁକ୍ତ ହେବା ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ଥିଲେ।