ସିଦ୍ଧପୁରୁଷ ନା’ ଯାଦୁଗର ! କଣ ରହିଛି ସତ୍ୟସାଇଙ୍କ ସତ୍ୟତା

81

ବାବା ସତ୍ୟସାଇ । ଯାହାଙ୍କର ଅନେକ ନାମ ଅନେକ ଯଶ । ବଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା, କ୍ରିକେଟ୍ ଖେଳାଳି ସମସ୍ତେ ଥିଲେ ବାବା ସତ୍ୟସାଇଙ୍କ ଭକ୍ତ । ତେବେ ସତ୍ୟସାଇ ପ୍ରକୃତରେ ସିଦ୍ଧପୁରୁଷ ଥିଲେ ନା ଥିଲେ ଜଣେ ଯାଦୁଗର । ଏନେଇ ହୋଇଛି ଅନେକ ତର୍କ ବିତର୍କ । ଅନେକ ବାବାଙ୍କୁ ଯାଦୁଗର ବୋଲି ଅଭିଯୋଗ କରିଛନ୍ତି  । ବାବାଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇବା ଭଳି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି  ।

ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ପ୍ରସିଦ୍ଧ ଯାଦୁଗର ପି.ସି ସରକାର ଯୁନିୟର୍ ତାଙ୍କ ମୁହଁ ଖୋଲିଥିଲେ । ତାଙ୍କ କହିବା ଅନୁଯାୟୀ ଯେତେବେଳେ ସେ ସତ୍ୟ ସାଇଙ୍କୁ ଦେଖା କରିବାକୁ ଚାହିଁଥିଲେ ସେତେବେଳେ ବାବା ଦେଖାକରିବାକୁ ମନା କରିଥିଲେ । ମାସ ମାସ ଧରି ଅପେକ୍ଷା କରିଥିଲେ ମଧ୍ୟ ବାବା ଦେଖାକରିବାକୁ ରାଜି ହୋଇନଥିଲେ । ତେଣୁ ପି.ସି ସରକାର ଯୁନିୟର୍ ଏକ ପ୍ଲାନ୍ କରିଥିଲେ । ନିଜକୁ କୋଲକାତାର ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ପୁଅର ପରିଚୟ କରି ଦେଖା କରିବାକୁ ଯାଇଥିଲେ ।

ଏହା ପରେ ସାଙ୍ଗେ ସାଙ୍ଗେ ବାବା ତାଙ୍କୁ ଦେଖାକରିଥିଲେ । ଦେଖାକରିବା ପରେ ପି.ସି ସରକାର ଯୁନିୟର୍ ବାବାଙ୍କୁ ଏକ ଉପହାର ମାଗିଥିଲେ । ଏହା ଶୁଣିବା ପରେ ବାବା ଅନ୍ୟ ଏକ କୋଠରୀକୁ ଯାଇ କିଛି ସମୟ ପରେ ଆସିଥିଲେ । ଆଉ ଏହି ସମୟ ମଧ୍ୟରେ ପି.ସି ସରକାର ଯୁନିୟର୍ କୋଠରୀ ଭିତରେ ମିଠା ରଖାଯାଇଥିବା ଏକ ପ୍ଲେଟ୍ ନିଜ ପାଖରେ ଲୁଚାଇଦେଇଥିଲେ । କିଛି ସମୟ ପରେ ବାବା ଆସି ଶୂନ୍ୟରେ ହାତ ବୁଲାଇ ତାଙ୍କୁ ସନ୍ଦେଶ ଖାଇବାକୁ ଦେଇଥିଲେ । କିନ୍ତୁ ସରକାର ଯୁନିୟର କହିଥିଲେ ମୋତେ ସନ୍ଦେଶ ନୁହେଁ ରସଗୋଲା ପସନ୍ଦ । ଏହା ପରେ ସନ୍ଦେଶକୁ ଲୁଚାଇ ପାଖରେ ରଖିଥିବା ରସେଗୋଲା ବାହାର କରି ବାବାଙ୍କୁ ଦେଇଥିଲେ । ଏସବୁ ଦେଖି ବାବା ତାଙ୍କୁ ନିଜ କୋଠରୀରୁ ବାହାର କରିଦେଇଥିଲେ ।

ଏହା ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଲା ଯେତେବେଳେ ବାବା ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଉପହାର ଦେଇଥିଲେ । ଏହି ଦୃଶ୍ୟ ଦୁରଦର୍ଶନରେ ରେକର୍ଡ ହୋଇଥିଲା ଯେଉଁଥିରେ ବାବାଙ୍କ ଯାଦୁଗରୀ ଜଣା ପଡିଥିଲା । କିନ୍ତୁ ପ୍ରସାରଣ ସମୟରେ ଦୁରଦର୍ଶନ ଏହାକୁ କାଟି ଦେଇଥିଲେ । ସେହିପରି ବିବିସି ଏକ ଡକ୍ୟୁମେଂଟାରୀ ବନାଇଥିଲା ଯେଉଁଥିରେ ବାବାଙ୍କ ସତ୍ୟ ସାମ୍ନାକୁ ଆସିଥିବାର ଶୁଣିବାକୁ ମିଳିଥିଲା । ବାବାଙ୍କ ବିରୋଧରେ ଯୌନ ନିର୍ଯାତନା ଭଳି ସଙ୍ଗୀନ୍ ଅଭିଯୋଗ ମଧ୍ୟ ହୋଇଥିଲା ।

ତେବେ ଏକଥା ସତ ଯେ ବାବା ଗରିବ ଲୋକଙ୍କ ପାଇଁ ଡାକ୍ତରଖାନା , ଅନେକ ମନ୍ଦିର ଏବଂ ସ୍କୁଲ୍ ତିଆରି କରିଛନ୍ତି । କିନ୍ତୁ ଏକଥାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଏସବୁ ପଛରେ ଭକ୍ତ ମାନଙ୍କର ଟଙ୍କା ଲାଗିଛି । ତେବେ ସେ ଯାହା ହେଉନା କାହିଁକି ଆଜି ବି ସତ୍ୟସାଇଙ୍କୁ ଭଗବାନ ରୂପରେ ପୂଜା କରନ୍ତି ଭକ୍ତ ।