କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ ପରେ ବିଜେପି କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ: କହିଲେ, ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ଜଣେ ସାଧାରଣ କର୍ମୀ

124

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ମୁଁ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରେ । ସେମାନଙ୍କ ସନ୍ତୋଷ ମୋ ଜୀବନମନ୍ତ୍ର । ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ସାଧାରଣ କର୍ମୀ । ସଭାରେ ମୋଦି କହିଛନ୍ତି କାଶୀକୁ ନେଇ ନିଶ୍ଚିନ୍ତ ଥିଲି । ଏଥିପାଇଁ ବାବା କେଦାରନାଥଙ୍କ ଦରବାରରେ ବସିଥିଲି । ଏହସହ ମୋଦି କହିଛନ୍ତି ପାରଦର୍ଶିତା ଓ ପରିଶ୍ରମ ଦୁଇଟି ଏପରି ଜିନିଷ ଯାହା ଅନୁଭୁତି ଓ ଉପଲବ୍ଧିକୁ ପରାସ୍ତ କରିବାର ସାହସ ରଖିଥାଏ । ଆଉ ଆଜି ହିନ୍ଦୁସ୍ତାନ ତାହା କରି ଦେଖାଇଛି ।

ସରକାର ଓ ସଙ୍ଗଠନ ମଧ୍ୟରେ ତାଳମେଳ ସବୁଠୁ ବଡ ତାକତ । ବିଜେପିର ପ୍ରଚଣ୍ଡ ବିଜୟ ପଛରେ ଭୋଟ ବ୍ୟାଙ୍କ ରାଜନୀତିରୁ ଉପରକୁ ଉଠି କାମ କରିଥିବାରୁ ଦଳକୁ ସଫଳତା ମିଳିଲା ବୋଲି ମୋଦି କହିଛନ୍ତି । ସେହିପରି ଅମିତ ଶାହା ମଧ୍ୟ ବାରାଣାସୀର ଜନତାଙ୍କ ଧନ୍ୟବାଦ ଜଣାଇବା ସହ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଶାହା କହିଛନ୍ତି ବାରାଣାସୀ ଜନତା ଭାଗ୍ୟଶାଳୀ, କାହିଁକି ନା ମୋଦି ଏଠାକାର ଜନପ୍ରତିନିଧି । ଯାହାଙ୍କ ଏକମାତ୍ର ଲକ୍ଷ୍ୟ ବିକାଶ । ସମାନ ଢଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୋଦିଙ୍କ ପ୍ରଶଂସା କରି ପୁଣି ଥରେ କହିଛନ୍ତି ମୋଦି ହୈ ତୋ ମୁମକିନ ହୈ ।

ଅନ୍ୟପକ୍ଷରେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୂଦ୍ରାଭିଷେକ କରି ଭଗବାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି ମୋଦି । ପୁଣି ଥରେ ଶପଥ ନେବା ପୂର୍ବରୁ କାଶୀରେ ବାବା ବିଶ୍ୱନାଥଙ୍କ ଆର୍ଶୀବାଦ ନେଇଛନ୍ତି ଏନଡିଏ ନେତା ନରେନ୍ଦ୍ର ମୋଦି । ସେ କାଶୀ ବିଶ୍ୱନାଥ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ଦୀର୍ଘ ସମୟ ଧରି ପୂଜକଙ୍କ ମନ୍ତ୍ରୋଚାରଣ ସହ ପୂଜା କରିଛନ୍ତି ।ଜ୍ୟୋର୍ତିଲିଙ୍ଗରେ ବେଲ ପତ୍ର ଚଢ଼଼଼ାଇବା ସହ ପୁଷ୍ପ ଓ ନୈବେଦ୍ୟ ଅର୍ପଣ କରି ରୁଦ୍ରାଭିଷେକ କରିଛନ୍ତି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟୀ ହେବା ପରେ ଏହା ନିଜ ନିର୍ବାଚନମଣ୍ଡଳୀକୁ ମୋଦିଙ୍କ ପ୍ରଥମ ଗସ୍ତ । ମୋଦିଙ୍କ ସହ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା ଓ ଯୋଗୀ ଆଦିତ୍ୟନାଥ ବିଶ୍ୱନାଥ ମନ୍ଦିର ଯାଇ ଆର୍ଶୀବାଦ ନେଇଛନ୍ତି ।