ଇସ୍ରୋକୁ ଆଉ ଏକ ସଫଳତା, ମହାକାଶକୁ ଗଲା ଜିସାଟ୍-୭ଏ । ଡ୍ରୋନ ଆକ୍ରମଣ ପାଇଁ ସାହାଯ୍ୟ କରିବ, ବାୟୁସେନାର ଶକ୍ତି ବଢାଇବ

62

ମହାକାଶରେ ଶକ୍ତିଶାଳୀ ହେବାକୁ ଭାରତର ଆଉ ଏକ ପ୍ରୟାସ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ଆଜି ଅପରାହ୍ନ ୪ଟା ୧୦ ମିନିଟରେ ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସାଟ୍-୭ଏକୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ଏହାର ସବୁ ମାନଦଣ୍ଡ ସ୍ୱାଭାବିକ ଥିବା ଇସ୍ରୋ କହିଛି ।

ଏହି ଉପଗ୍ରହଟି ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହାକୁ ସ୍ୱତନ୍ତ୍ରଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ଓ୍ଵାର୍ଣ୍ଣି ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ । ଏହା ବାୟୁସେନାର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ଓ ଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହୋଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଭାରତର ଲଢୁଆ ଡ୍ରୋନ ପରିଚାଳନାରେ ବେଶ ଉପଯୋଗୀ ହୋଇପାରିବ । ଭାରତ ଆମେରିକା ଓ ଇସ୍ରାଏଲଠାରୁ ଲଢୁଆ ଡ୍ରୋନ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ଜିସାଟ୍-୭ଏ ପୂରଣ କରିବ ।


‘ଜିସାଟ୍-୭ଏ’ର ଓଜନ ୨୨୫୦ କିଲୋଗ୍ରାମ ହୋଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ସ୍ୱଦେୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହି ଅତ୍ୟାଧୁନିକ ସାଟେଲାଇଟ ଆଠ ବର୍ଷ ଯାଏଁ କାମ କରିବ ।