#WebExclusive ସାତକୋଶିଆକୁ ଆସିପାରୁନି ମହାବଳ । ରାଜ୍ୟ ଓ କେନ୍ଦ୍ରର ଗ୍ରୀନ ସିଗନାଲ ସତ୍ୱେ କାହିଁକି ଅଟକିଛି ସ୍ଥାନାନ୍ତରଣ?

44

ବାଘ ଆସିବାରେ ବିଳମ୍ବ । ସମସ୍ତ ପ୍ରସ୍ତୁତି ସତ୍ତେ୍ୱ ସାତକୋଶିଆ ଅଭୟାରଣ୍ୟକୁ ଆସିପାରୁନି ମଧ୍ୟପ୍ରଦେଶ ବାଘ । ଉଭୟ ରାଜ୍ୟ ଏଥିପାଇଁ ସହମତି ହେବା ପରେ କେନ୍ଦ୍ର ମଧ୍ୟ ଏନେଇ ଗ୍ରୀନ ସିଗନାଲ ଦେଇସାରିଛି । ଏପରିକି ବାଘଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ରଖାଯିବାକୁ ଥିବା ଏନକ୍ଲୋଜର କାମ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ୮ ଜଣ ବନ କର୍ମଚାରୀ ମଧ୍ୟପ୍ରଦେଶ ଯାଇ ହାସଲ କରିସାରିଛନ୍ତି ତାଲିମ । କିନ୍ତୁ ମଧ୍ୟପ୍ରଦେଶ ବନବିଭାଗ କର୍ମଚାରୀ ତାଙ୍କ ଦରମା ବୃଦ୍ଧି ଦାବୀରେ ଆନ୍ଦୋଳନ ଚଲାଇଥିବାରୁ ସଫଳ ହୋଇପାରୁନି ରାଜ୍ୟ ସରକାରଙ୍କର ଏହି ବହୁ ପ୍ରତୀକ୍ଷିତ ଯୋଜନା ।


ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ୩ହଳ ଅର୍ଥାତ ୬ଟି ମହାବଳ ବାଘ ଆଣିବାକୁ ଦୀର୍ଘ ଦିନ ହେବ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ବାଘଙ୍କୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯିବାର ବନ୍ଦୋବସ୍ତ କରାଯାଇଥିଲା । ଲକ୍ଷ୍ୟ ଥିଲା ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ସହ, ଜଙ୍ଗଲ ଭିତରେ ଅବାଧ ପ୍ରବେଶ ଓ ଶୀକାର ଉପରେ ରୋକ୍ ଲଗାଇବା । ଏହାସହ ଜୈବ ବିବିଧତାକୁ ମଧ୍ୟ ସଂରକ୍ଷଣ କରାଯାଇପାରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ମଧ୍ୟପ୍ରଦେଶ ସରକାର ୬ଟି ମହାବଳ ବାଘ ଦେବାକୁ ସହମତି ପ୍ରକାଶ କରିଥିଲେ । ମଧ୍ୟପ୍ରଦେଶରେ ଥିବା କାହ୍ନା, ପାନ୍ନା ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପରୁ ଏହି ବାଘଙ୍କୁ ଓଡିଶାକୁ ଅଣାଯାଇଥାନ୍ତା । ଏ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ମଧ୍ୟ ଅନୁମତି ମିଳିସାରିଥିଲା ।

ଜୁନ ପ୍ରଥମ ସପ୍ତାହରେ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ମହାବଳ ବାଘକୁ ସାତକୋଶିଆକୁ ସ୍ଥାନାନ୍ତରଣ କରିବାକୁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇସାରିଥିଲା । କିନ୍ତୁ ମଧ୍ୟପ୍ରଦେଶ ବନବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଏହା ସମ୍ଭବ ହୋଇପାରୁନି । ରାଜ୍ୟ ପୋଲିସ ସହ ସମାନ ଅଙ୍କର ଦରମା ଦାବୀ କରି ସେଠାକାର ବନ କର୍ମଚାରୀମାନେ ୮ ଦିନ ହେଲାଣି କାମ ଛାଡ ଆନ୍ଦୋଳନ ଚଳାଇଛନ୍ତି । ଏହା ସତ୍ତେ୍ୱ ଖୁବ୍ ଶୀଘ୍ର ଏହି ଆନ୍ଦୋଳନ ସମାପ୍ତ ହେବ ଓ ରାଜ୍ୟକୁ ମଧ୍ୟପ୍ରଦେଶରୁ ବାଘ ଆସି ସାତକୋଶିଆରେ ପହଂଚିବ ବୋଲି ଆଶା ବାନ୍ଧିଛନ୍ତି ରାଜ୍ୟ ସରକାର । ବିଳମ୍ବ ସତ୍ତେ୍ୱ ରାଜ୍ୟ ସରକାର ଆଶା ରଖିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ । ଅର୍ଥାତ, ଜୁନ ଶେଷ ସୁଦ୍ଧା ସାତକୋଶିଆରେ ମହାବଳ ଛାଡିବାକୁ ରହିଛି ଟାର୍ଗେଟ ।