କେନ୍ଦ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢାଇଲା ବିଜେଡି । ଉଠାଇଲା ଗ୍ୟାଙ୍ଗଷ୍ଟାରଙ୍କ ସହ ଲିଙ୍କ୍ ପ୍ରସଙ୍ଗ ।

382

କନକ ବ୍ୟୁରୋ : ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମଧ୍ୟ ପିପିଲି ପ୍ରସଙ୍ଗକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏହି ପ୍ରସଙ୍ଗରେ ବିଭିନ୍ନ ନେତାଙ୍କ ବୟାନବାଜି ସ୍ପଷ୍ଟ କରିଦେଉଛି ଯେ, ୨୦୧୯ ନିର୍ବାଚନରେ ଶାସକ ଦଳ ବିରୋଧରେ ପିପିଲି ପ୍ରସଙ୍ଗକୁ ଏକ ଅସ୍ତ୍ର କରିବେ ବିରୋଧୀ । ତେବେ ମହୀରଥୀଙ୍କ ଇସ୍ତଫା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବୟାନ ଦେଇସାରିବା ପରେ ତାଙ୍କୁ କାଉଣ୍ଟର କରିଛନ୍ତି ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ।

ସସ୍ମିତ କହିଛନ୍ତି, ଏହି ପ୍ରସଙ୍ଗରେ ବୟାନ ଦେବା ପାଇଁ ଭାରତୀୟ ଜନତା ପାର୍ଟିର କୌଣସି ନୈତିକତା ଆଧାର ନାହିଁ । ସସ୍ମିତ କହିଛନ୍ତି, କ୍ରିମିନାଲ ମାନଙ୍କୁ ବିଜେପି ପୋଷେ । ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର୍ସ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲିଙ୍କ୍ ଥିବା କହିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି, ଅପରାଧୀମାନଙ୍କ ସହ ସିଧାସଳଖ ସମ୍ପୃକ୍ତି ରଖିଛି ବିଜେପି । ଆଉ ଗ୍ୟାଙ୍ଗଷ୍ଟାର ଟିଟୋକୁ ପେଟ୍ରୋଲ ପମ୍ପ ଦେଇଥିବା କଥା ଏହାକୁ ପ୍ରମାଣ କରୁଛି ବୋଲି ସେ କହିଛନ୍ତି ।

ବିଜେପିକୁ ଟାର୍ଗେଟ କରି ସସ୍ମିତ କହିଛନ୍ତି, ବିଜେପୁର ନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲା ବିଜେପି । ଏବଂ ଜଣେ ବିଜେଡି କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସେହିପରି ଗ୍ୟାଙ୍ଗଷ୍ଟାର ଧଳ ସାମନ୍ତଙ୍କୁ କଟକର ବାଇ ମୁଣ୍ଡି ଆଖ୍ୟା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହି ସବୁକୁ ଦେଖିଲେ କେନ୍ଦ୍ରମନ୍ତ୍ରୀଙ୍କର ଅପରାଧୀଙ୍କ ସହ ଲିଙ୍କ୍ ଥିବା ପ୍ରମାଣିତ ହେଉଥିବା କହିଛନ୍ତି ସସ୍ମିତ । ସେ ଆହୁରି ମଧ୍ୟ କହିଛନ୍ତି, କ୍ରିମିନାଲ ମାନଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଶକ୍ତି ରହିଛି । ଯାହା ବିଜେପିର ନୈତିକତା ଉପରେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।