ସରପଞ୍ଚଙ୍କୁ କରୋନା: ୯୧ ନୂଆ ଆକ୍ରାନ୍ତଙ୍କ ଭିତରେ ଜଣେ ସରପଂଚଙ୍କଠାରେ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା

ସେପଟେ ରାଜ୍ୟର ୨୨ଟି ଜିଲ୍ଲାକୁ ଡେଇଁଲା କରୋନା

6,085

କନକ ବ୍ୟୁରୋ: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା, ସୁନ୍ଦରଗଡ ଓ ସଂବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ସଂବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ଆଜି ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କମଧ୍ୟରୁ ୮୭ ଜଣ କ୍ୱାରେଂଟିନ୍ ସେଂଟରରୁ ବୋଲି ଜଣାପଡିଛି ।

ସବୁଠାରୁ ସଂବେଦନଶୀଳ କଥା ହେଉଛି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସରପଂଚ ରହିଛନ୍ତି । ସେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ସଂଖ୍ୟାରେ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୮୩ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୂନା ପରୀକ୍ଷା ସଂଖ୍ୟା ୯୧ ହଜାର ୨୨୩କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୮୨୮ ଜଣ କରୋନା ପଜିଟିଭ୍ ଆସିଛନ୍ତି ।