ବାସ୍ତବତା ବାହାରର ଏକ ନୂଆ ଦୁନିଆ । କଳ୍ପନାର ପରିଧି ଭିତରେ ବିଜ୍ଞାନ ବନାମ ଅନ୍ଧବିଶ୍ୱାସ ।

167

ସତ ଓ ମିଛ ପରସ୍ପର ପରିପନ୍ଥୀ । ସତ ସବୁବେଳେ ସତ । କିନ୍ତୁ ବେଳେ ବେଳେ ମିଛ ଉପରେ ସତର ଏମିତି ଏକ ଆସ୍ତରଣ ଛିଡ଼ା କରିଦିଆଯାଏ ଯେ, ତାହା ଅବିକଳ ସତ ଭଳି ଲାଗେ । ଆଉ ପରିକଳ୍ପନାର ଏହି ପ୍ରାଚୀର ସତକୁ ଘୋଡ଼େଇ ରଖିବାର ସାମର୍ଥ୍ୟ ରଖିପାରେ । ମଣିଷର ବୁଦ୍ଧି ଏବଂ ବୈଷୟିକ ଜ୍ଞାନ କୌଶଳ ଏବେ ଏହି ପରିକଳ୍ପନାକୁ ଆହୁରି ମଜଭୁତ କରିଦେଇଛି । ଦକ୍ଷିଣ କୋରିଆରେ ଘଟିଥିବା ଘଟଣାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । କାହାଣୀଟି କଳ୍ପନା ଉପରେ ପର୍ଯ୍ୟବେଷିତ । ଯାହାକୁ ଇଂରାଜୀ ଭାଷାରେ ଭର୍ଚୁଆଲ୍ ୱାର୍ଲ୍ଡ ବୋଲି କୁହାଯାଉଛି ।

ଦକ୍ଷିଣ କୋରିଆରେ ଏକ ଟିଭି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯାହାର ନାଁ ରଖାଯାଇଥିଲା- ମିଟିଂ ୟୁ ଅର୍ଥାତ୍ ତୁମକୁ ଭେଟୁଛି । ଏହି କାର୍ଯ୍ୟକ୍ରମରେ ଜଣେ ମା’ ନିଜର ୪ବର୍ଷର ମୃତ ଝିଅକୁ ଭେଟିବାର ସୁଯୋଗ ପାଇଥିଲେ । ଅବଶ୍ୟ ବାସ୍ତବରେ ନୁହେଁ କଳ୍ପନାର ଦୁନିଆରେ । ଜାଙ୍ଗ ଜୀ ସୁଙ୍ଗ ନାମକ ଏହି ମହିଳା, ନିଜର ମୃତ ଝିଅ ‘ନେଇଆନ୍’କୁ ଏଭଳି ଭେଟିଥିଲେ, ଯେମିତି ସେ ବଂଚିଥିବା ବେଳେ ଭେଟୁଥିଲେ । ତାଙ୍କୁ ଛୁଇଁଥିଲେ, ତାଙ୍କ ସହ କଥା ହୋଇଥିଲେ । ଆଉ ଯେତେବେଳେ ଭର୍ଚୁଆଲ୍ ରିୟଲିଟି (ବାସ୍ତବ ଲାଗୁଥିବା ଅବାସ୍ତବ ଦୁନିଆ)ରୁ ବାହାରି ଆସିଥିଲେ, ନିଜର ଅନୁଭୂତି ଏଭଳି ବଖାଣି କହିଥିଲେ, ଯେମିତି ସେ ସତରେ ନିଜ ମୃତ ଝିଅକୁ ଭେଟିକି ଆସିଛନ୍ତି ।

ସେଭେନ୍-ଡି ବା ସାତଟି ଡାଇମେନସନ୍ ସହ କମ୍ପ୍ୟୁଟରର ହାଡୱେୟର ଉପକରଣ ଓ ସଫ୍ଟୱେୟର ଉପକରଣକୁ ଏଭଳି ଖଂଜି ଦିଆଯାଇଥିଲା, ଯେଉଁଥିରେ ମହିଳା ଜଣକ ଏକ କଳ୍ପନାର ଦୁନିଆକୁ ଚାଲି ଯାଇଥିଲେ । ଆଖିରେ ସେଭେନ୍-ଡି ଚଶମା ଲଗାଇ, ଅବାସ୍ତବ ଦୁନିଆରେ ବାସ୍ତବତାକୁ ଖୋଜି ପାଇଥିଲେ । ତେବେ ଏଭଳି ଘଟଣାକୁ ନେଇ ମନୋବୈଜ୍ଞାନିକଙ୍କ ମହଲରେ ଅନେକ ଚର୍ଚ୍ଚା ହେଉଛି । କିଏ ଏହା ସପକ୍ଷରେ ଯୁକ୍ତି ବାଢ଼ିଛି, ତ ଆଉ କିଏ ଏହା ବିପକ୍ଷରେ ।

ଭର୍ଚୁଆଲ ରିୟଲିଟି ବା କାଳ୍ପନିକ ଦୁନିଆ, ଯାହା ବାସ୍ତବ ଦୁନିଆଠାରୁ ସଂପୂର୍ଣ୍ଣ ଭିନ୍ନ । ଏହା କମ୍ପ୍ୟୁଟର ଦ୍ୱାରା ତିଆରି ହେଉଥିବା ଏକ କୃତ୍ରିମ ପରିବେଶ । ଭିଆର୍ ଗ୍ଲାସ୍ ବା ଭର୍ଚୁଆଲ ରିୟଲିଟି ଚଷମା କିମ୍ବା ହେଡସେଟ୍ ଜରିଆରେ ଏହି ମୁହୂର୍ତର ଉପଭୋଗ କିମ୍ବା ଉପଯୋଗ ହୋଇଥାଏ ।

ଆପଣମାନେ ଯେଉଁମାନେ ଆମିର ଖାନଙ୍କ ଅଭିନୀତ ଫିଲ୍ମ ‘ତଲାସ୍’ ଦେଖିଥିବେ, ସିନେମାର କାହାଣୀ ସହ ପରିଚିତ ଥିବେ । ଏହି ଫିଲ୍ମରେ ମଧ୍ୟ ଏଭଳି କିଛି ଦୃଶ୍ୟ ରହିଛି, ଯେଉଁଠି ମୃତ ଶିଶୁଙ୍କ ସହ ଯୋଗାଯୋଗ କରୁଛନ୍ତି ଫିଲ୍ମର ଅଭିନେତ୍ରୀ ରାନୀ ମୁଖାର୍ଜୀ । ଆଉ ଏଥିରେ କୌଣସି ବୈଜ୍ଞାନିକ ପୃଷ୍ଠଭୂମି ନାହିଁ, ଅଛି କେବଳ ତନ୍ତ୍ରମନ୍ତ୍ର ଏବଂ ଆତ୍ମାର ଆହ୍ୱାନ ଭଳି ଅନ୍ଧବିଶ୍ୱାସ । ଫିଲ୍ମର ଉଦାହରଣ ରଖିବାର ଉଦ୍ଦେଶ୍ୟ ହେଉଛି କିଏ ଜ୍ଞାନ ଓ ବିଜ୍ଞାନ ବଳରେ ଅବାସ୍ତବରେ ବାସ୍ତବତା ଦେଖୁଥିବା ବେଳେ ଆଉ କିଏ ଅନ୍ଧବିଶ୍ୱାସରେ ବିଶ୍ୱାସ ଖୋଜୁଛି ।

ଯିଏ ଜନ୍ମ ନେଇଛି ସେ ଦିନେ ନା ଦିନେ ମରିବ । ଆଉ ଯିଏ ମରିଯାଉଛି ସେ ଫେରିବା ଅସମ୍ଭବ । କିନ୍ତୁ ମରିଯାଇଥିବା ଲୋକଙ୍କୁ ଭେଟିବାର ପ୍ରୟାସ ମଣିଷ ସବୁବେଳେ କରି ଆସିଛି । ବୋଧେ ସେଇଥି ପାଇଁ ଆମ ମାନଙ୍କ ମଧ୍ୟରୁ ଅନେକ କୁହନ୍ତି, ସ୍ୱପ୍ନରେ ଦେଖିଲି, ଛାଇ ଦେଖିଲି, ମୃତବ୍ୟକ୍ତିଙ୍କ ସ୍ୱର ଶୁଣିଲି, ଇତ୍ୟାଦି ଇତ୍ୟାଦି । ନିଜ ମନ ଭିତରେ ଥିବା ଅଭିଳାଷାକୁ ପୁରଣ କରିବା ପାଇଁ କିଏ ବିଜ୍ଞାନର ପ୍ରୟୋଗ କରୁଛି, ତ ଆଉ କିଏ ଗୁଣି-ଗାରେଡି ଏବଂ ଅନ୍ଧବିଶ୍ୱାସର ଆଶ୍ରୟ ନେଉଛି । ମରିଯାଇଥିବା ଲୋକଙ୍କୁ ଭେଟିବାର ପ୍ରୟାସ କରିବା କେତେ ଠିକ୍ ତାହା ବିତର୍କର ବିଷୟ । କିନ୍ତୁ ଆମେ ପରିକଳ୍ପନାର ଯେଉଁ ମାଧ୍ୟମ ବାଛୁଛେ ଏବଂ ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଯେଉଁ ପନ୍ଥା ବାଛିଛନ୍ତି, ଏହା ଦୁଇଟି ଭିତରେ ଆକାଶ-ପାତାଳ ଫରକ୍ ରହିଛି ।

ପ୍ରତ୍ୟୁଷ କୁମାର ସା
ମୋବାଇଲ: ୯୪୩୭୩-୬୬୯୮୪

(ଏହା ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସାଙ୍କ ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ)