ଅ‘ଗଣତନ୍ତ୍ର’ ଗୁଳିରେ ଆଖି ବୁଜିଲା ୪ ମାସର ଗର୍ଭସ୍ଥ ସନ୍ତାନ । ଅଶୁଭ ସଞ୍ଚରେ ଅଟକିଲା ସଂଯୁକ୍ତାଙ୍କର ସବୁ ସ୍ୱପ୍ନ ।

1,173

କନକ ବ୍ୟୁରୋ : ସେମାନେ ବିବାହ କରିଥିଲେ । ସୁନାର ସଂସାର ଗଡି ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ । ହେଲେ ବୋଧହୁଏ ଜଗତକର୍ତାଙ୍କୁ ଏହା ମଞ୍ଜୁର ନଥିଲା । ମାଓବାଦୀଙ୍କ ଗୁଳିର ଶିକାର ହେବା ପରେ ଏବେ ଭାଙ୍ଗିପଡିଛି ଗୋଟିଏ ପରିବାର । ଗଣତନ୍ତ୍ରର ସାହସୀ ସିପାହୀ ସଂଯୁକ୍ତା ଦିଗଲଙ୍କ ଅଚାନକ ମୃତ୍ୟୁ ପରେ ଏବେ ପରିବାର ଉପରେ ଦୁଃଖର କଳା ବାଦଲ ।

କୋହ ସମ୍ଭାଳିପାରୁନି ସଂଯୁକ୍ତାଙ୍କ ସ୍ୱାମୀ । ବୁକୁ ଫଟା ଚିକ୍ରାର । ଚିକ୍ରାର ହେବା ବି ସ୍ୱାଭାବିକ । କାହିଁକି ନା ଘରର ଏକମାତ୍ର ରୋଜଗାରିଆ ଥିଲେ ସଂଯୁକ୍ତା ।ବାହାଘରର ସେହି ପୁରୁଣା ସ୍ମୃତିକୁ ମନେପକାଇ ବାହୁନି ବାହୁନି କାନ୍ଦିବା ହିଁ ସାର ହୋଇଛି । ପାଖରେ ସଂଯୁକ୍ତା ନାହିଁ ସତ, ରହି ଯାଇଛି ସେହି ଅଫେରା ଦିନର ଅଭୁଲା ସ୍ମୃତି ।

ଲଦାପଦର ଗାଁ ମଶାଣିରେ ସଂଯୁକ୍ତାଙ୍କର ସମ୍ପନ୍ନ ହୋଇଛି ଶେଷକୃତ୍ୟ । ହେଲେ ନିଜ ଆଖିରେ ସ୍ତ୍ରୀକୁ ବିଦାୟ ଦେବାର ଦୃଶ୍ୟ ଥିଲା ବେଶ ଭାବବିହ୍ୱଳ । ସ୍ୱାମୀ ବାହୁନି ବାହୁନି କାନ୍ଦୁଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଥିଲା ପୂରା ଗାଁ । ଆଉ ଏସବୁ ଭିତରେ ଝିଅ କଥାକୁ ମନେ ପକାଇ କୋହ ସମ୍ଭାଳି ପାରୁନଥିଲା ମା’ ।

୨୩ ବର୍ଷିୟ ସଂଯୁକ୍ତା ଦିଗାଲ୍ ପଂଚାୟତ ଜିଆରଏସ ଭାବେ କାମ କରୁଥିଲେ । ପୋଲିଂ ସୁପରଭାଇଜିଂ ଟିମରେ ସାମିଲ ଥିବା ସଂଯୁକ୍ତା ଗଣତନ୍ତ୍ରର ନେଇଥିଲେ ଗୁରୁ ଦାୟିତ୍ୱ । ୩-୪ ମାସର ଗର୍ଭବତୀ ଥିବା ସଂଯୁକ୍ତା ବୁଥକୁ ବୁଥ୍ ବୁଲି ନିର୍ବାଚନର ପ୍ରସ୍ତୁତି ଦେଖୁଥିବା ବେଳେ ରକ୍ତମୁଖା ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଗୋଚ୍ଛପଡ଼ା ଥାନା କୋଇଲିମାଣ୍ଢୁ ନିକଟରେ ପୋଲିଂ ସୁପରଭାଇଜିଂ ଗାଡ଼ି ଉପରକୁ ମାଓବାଦୀଙ୍କ ଗୁଳିମାଡରେ ଟଳି ପଡିଥିଲେ ସଂଯୁକ୍ତା ଦିଗାଲ । ଏହି ଗୁଳିରେ ଗୋଟିଏ ନୁହେଁ ବରଂ ଦୁଇଟି ଜୀବନ କିଛି କ୍ଷଣ ମଧ୍ୟରେ ଶେଷ ହୋଇଯାଇଥିଲା । କାରଣ ସଂଯୁକ୍ତାଙ୍କ ଗର୍ଭରେ ଥିବା ୪ ମାସର ଶିଶୁ ବାହାର ଦୁନିଆ ଦେଖିବା ଆଗରୁ ହିଁ ଆଖି ବୁଜି ଦେଇଥିଲା ।