ପାଟକୁରାରେ କିଏ ଧରିବ ବିଜେଡିର ମଙ୍ଗ ? ବେଦପ୍ରକାଶଙ୍କ ପୁଅ ସଞ୍ଜୟଙ୍କୁ ନେଇ ଚର୍ଚ୍ଚା, କହିଲେ, ସୁଯୋଗ ମିଳିଲେ ବାପାଙ୍କ ସ୍ୱପ୍ନ ପୂରଣ କରିବି ।

651

କନକ ବ୍ୟୁରୋ : ମେ’ ୧୯ ତାରିଖରେ ପାଟକୁରାରେ ହେବ ନିର୍ବାଚନ । ତେବେ ନିର୍ବାଚନର ତାରିଖ ଘୋଷଣା ହେବା ପରେ ସରଗରମ ହୋଇଛି ପାଟକୁରା ରାଜନୀତି । ଦିବଙ୍ଗତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ।

ସଞ୍ଜୟ କହିଛନ୍ତି, ଦଳ ତାଙ୍କ ଉପରେ ଭରସା କରିଲେ, ସେ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଆଉ ଯଦି ବିଜେଡି ତାଙ୍କୁ ଟିକେଟ୍ ନଦିଏ ତେବେ ସେ ଦଳ ପାଇଁ କାର୍ଯ୍ୟ କରିବେ । ତେବେ ସେ କହିଛନ୍ତି, ‘ବାପାଙ୍କ ସ୍ୱପ୍ନକୁ ମୁଁ ସାକାର କରିବି’ । ପାଟକୁରାରେ ବିଜେଡିର କିପରି ବାଜିମାତ ହେବ ଏବଂ ଏହା ସହ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି କିପରି ପାଟକୁରାରୁ ଅଧିକ ଭୋଟ୍ ପାଇବେ, ସେ ଦିଗରେ ସେ କାର୍ଯ୍ୟ କରିବେ । ଏପରିକି ଏବେବି ନିର୍ବାଚନୀ ପ୍ରଚାରରେ ସାମିଲ ହେଉଛନ୍ତି ସଞ୍ଜୟ ଅଗ୍ରୱାଲ ।

ଅପରପକ୍ଷେ ଯଦି ନଜର ପକାଇବା, ତେବେ ଚଳିତ ନିର୍ବାଚନରେ ଏଠାରେ ହାଇଭୋଲଟେଜ୍ ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । କାରଣ ବେଦପ୍ରକାଶଙ୍କୁ ବିରୋଧରେ ବିଜେପିରୁ ଲଢୁଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଆଉ ସେପଟେ କଂଗ୍ରେସ ଟିକେଟରୁ ମଇଦାନରେ ଅଛନ୍ତି ଜୟନ୍ତ ମହାନ୍ତି । ତେବେ ଏଭଳି ସ୍ଥିତିରେ ଏହି ଦୁଇ ନେତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ସୁପ୍ରିମୋ କାହାକୁ ଭରସୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ମେ ପହିଲା ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ୨ ରେ ପ୍ରାର୍ଥୀପତ୍ର ଯାଂଚ ହେବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ୧୯ ତାରିଖରେ ଭୋଟ ପଡିବ । ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ପାଟକୁରାରେ କେବଳ ବିଜେଡି ହିଁ ନୂଆ ପ୍ରାର୍ଥୀ ଘୋଷଣା କରିବ ।