ନିଦାବିଷ୍ଣୁ ପାଲଟିଛି ପ୍ରଶାସନ, ମାଲାମାଲ୍ ହେଇଛନ୍ତି ବାଲି ମାଫିଆ । ଯାଜପୁରର ଧର୍ମଶାଳାରୁ ଆସିଲା ବାଲି ଚୋରାଚାଲାଣର ଭିତିରି କଥା । 

164

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ବେଧଡକ ଚାଲିଛି ବାଲି ଲୁଟ୍ । ଡମ୍ପରରେ ବାଲି ଖୋଳା ହେଉଛି ଏବଂ ପରେ ସମସ୍ତଙ୍କ ସାମ୍ନାରେ ଟ୍ରାକ୍ଟରରେ ବୁହାହୋଇ ଯାଉଛି । ଖୁଲମଖୁଲା ଚାଲିଛି ବାଲି ଚୋରା ଚାଲାଣ । ପ୍ରଶାସନକୁ ଭୟ ନାହିଁ ବାଲି ମାଫିଆଙ୍କର । ଜଗତସିଂହପୁର ଓ ବାଲିଆପାଳ ପରେ ଆଜି ଆମ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ଧର୍ମଶାଳାରେ ହେଉଥିବା ବାଲି ଚୋରାଚାଲାଣର ପୂରା ଦୃଶ୍ୟ ।

ଖୁଲମ୍ଖୁଲା ଚାଲିଛି ଚାଲାଣ । ମୁନାଫା କମାଉଛନ୍ତି ମାଫିଆ । କେଉଁଠି ମାଳମାଳ ହାଇୱା ଗାଡିରେ ଜେସିବି ମେସିନ୍ ଲଗାଇ ବାଲି ବୋଝେଇ ହେଉଛି, ତ’ ଆଉ କେଉଁଠି ଡମ୍ଫର ଓ ଟ୍ରାକ୍ଟର ସହାଯ୍ୟରେ ନଦୀପଠାରୁ ବାଲି ଉଠୁଛି । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ, ବ୍ରାହ୍ମଣୀ ନଦୀପଠାରେ ଏହା ହେଉଛି ନିତିଦିନିଆ କଥା । ଯେଉଁଠି ପ୍ରତିଦିନ ଶହ ଶହ ଟ୍ରିପ ବେଆଇନ୍ ଭାବରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି ।

– ଧର୍ମଶାଳା ତହସିଲ ପକ୍ଷରୁ ୩ଟି ବାଲି ଘାଟକୁ ନିଲାମ ଆକାରରେ ଦିଆଯାଇଛି

– ବୃନ୍ଦାଦେଇପୁର ବାଲିଘାଟ ବାର୍ଷିକ ୬ଲକ୍ଷ ୪୯ହଜାର ୯ଶହ ଟଙ୍କାରେ ଯାଇଛି

– ଜେନାପୁର ବାଲିଘାଟ ବାର୍ଷିକ ୪ଲକ୍ଷ ୬୫ହଜାର ୯ଶହ ଟଙ୍କା ଲିଜ୍ରେ ଉଠିଛି

– ରାଇଛନ୍ଦା ବାଲିଘାଟ ୪୧ଲକ୍ଷ ୧୭ହଜାର ୮ଶହ ଟଙ୍କାରେ ଲିଜ୍ ଦିଆଯାଇଛି

ଆଉ ଏହି ତିନୋଟି ବାଲି ଘାଟକୁ ନିଲାମ୍ ଆକରରେ ନେଇଥିବା କଂପାନୀ ବା ବ୍ୟକ୍ତିଙ୍କ ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ରାଜନୈତିକ ଦଳଗୁଡ଼ିକର ସଂପୃକ୍ତି ରହିଛି । ଯେଉଁଥିପାଇଁ ନା’ ପ୍ରଶାସନ ଭୟ ରହିଛି ନା’ ନିୟମ କାନନକୁ ଖାତିର୍ । ଆଉ ଏହାରି ଭିତରେ ବେଆଇନ୍ ବାଲି ଚୋରା ଚାଲାଣ ହେବା ସହ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର ।

ବଡ କଥା ହେଉଛି-ରସୁଲପୁର ତହସିଲର ଅଧିନରେ ଆସୁଥିବା ୫ଟି ବାଲିଘାଟ ନିଲାମ ସଂପର୍କରେ ଯେତେବେଳେ ଆମେ ପ୍ରଶ୍ନ କରିଥିଲୁ, ସରକାରୀ ସୂଚନା ଦିଆଯାଇପାରିବ ନାହିଁ ବୋଲି ମୁହଁରେ ଶୁଣାଇ ଦେଇଥିଲେ ତହସିଲଦାର । ଅନ୍ୟପଟେ ବାଲି ଚାଲାଣ ନେଇ କୌଣସି ଅନିୟମିତତା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ଧର୍ମଶାଳା ତହସିଲଦାର ।

ବାଲି ଘାଟରୁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବାଲି ଉଠାଯାଉଥିବା ବେଳେ ମାଲାମାଲ୍ ହେଉଛନ୍ତି ମାଫିଆ । ଆଉ ରାଜସ୍ୱ ହରାଉଛନ୍ତି  ରାଜ୍ୟ ସରକାର । ପ୍ରଶାସନର ନାକ ତଳେ ଏଭଳି ବାଲି ଚୋରାଚାଲାଣ ହେଉଥିଲେ ମଧ୍ୟ ସବୁ ଜାଣିଶୁଣି ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।