ସମ୍ବଲପୁର ଲୁଟର ଲାଇଭ ଚିତ୍ର ! ଲୋକେ ଦେଖୁଥିଲେ, ଲୁଟ ଚାଲିଥିଲା ! ହେଲେ କେମିତି ଖସିଗଲେ ଲୁଟେରା

41

କନକ ବ୍ୟୁରୋ : ସମ୍ବଲପୁରରେ ସ୍ପଷ୍ଟ ଦିବାଲୋକରେ କେମିତି ହୋଇଥିଲା ଲୁଟ୍? ଫାଇନାନ୍ସ କମ୍ପାନୀରୁ କୋଟି କୋଟି ଟଙ୍କାର ସୁନା କିଭଳି ଲୁଟିଥିଲେ ଡକାୟତ? ଏହି ସମୟର ପୂରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ବିଚ୍ ରାସ୍ତା ଉପରେ ଟଙ୍କା ଓ ସୁନା ଭର୍ତି ବ୍ୟାଗ୍ ନେଇ କାରରେ ଖସିଯାଉଛନ୍ତି ଡକାୟତ । ରାସ୍ତା ଉପରେ ଲୋକେ ଏସବୁ ଦେଖୁଛନ୍ତି ହେଲେ କେହି ଅଟକାଇବାକୁ ସାହାସ କରୁନାହାଁନ୍ତି । ବରଂ ଲୁଟ ସମୟରେ ମୋବାଇଲରେ ଏହାର ରେକଡିଂ କରୁଥିଲେ ।

sambalpur lootସମ୍ବଲପୁରରେ ଦିନ ଦିପହରେ ବନ୍ଧୁକ ଦେଖାଇ ଲୁଟ କଲେ ଡକାୟତ । ଲୋକେ କେବଳ ଦେଖାଣହାରୀ ସାଜିଥିଲେ ଆଉ ଲୁଟ୍ କରୁଥିଲେ ଡକାୟତ । ଖୁଲମଖୁଲା, ବେଧଡକ ଚାଲିଥିଲା ଡକାୟତି । ଗୁରୁବାର, ଦିନ ପ୍ରାୟ ୩ଟା । ସମ୍ବଲପୁର ମୁଥୁଟ ଫାଇନାନ୍ସରୁ ବନ୍ଧୁକ ମୁନରେ ଡକାୟତ ଲୁଟ୍ କରିବା ପରେ କାରରେ ଫେରାର ହୋଇଯାଇଥିଲେ । ତେବେ ଲୁଟ ପରର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଯେଉଁଥିରେ ଡକାୟତ ମାନେ ବିଚ୍ ରାସ୍ତାରେ ଗାଡି ଡିକି ଖୋଲି ସୁନା ଓ ଟଙ୍କା ଭର୍ତି ବ୍ୟାଗ୍ ରଖୁଥିଲେ । ଜଣକ ପରେ ଜଣେ ଡକାୟତ ଗୋଟିଏ ଲେଖାଏଁ ଟଙ୍କା ଓ ସୁନା ଭର୍ତ୍ତି ବ୍ୟାଗ ଧରି ଖୁଲମଖୁଲା କାରରେ ରଖୁଥିଲେ । ଏବଂ ସବୁ ଡକାୟତ ଆସିବା ପରେ କାରରେ ବସି ଛୁ ହୋଇଯାଇଥିଲେ । ରାସ୍ତା ଉପରେ ଶହ ଶହ ଲୋକ । ହେଲେ କେହି ବି ଏହାକୁ ବିରୋଧ କରିବାକୁ ସାହାସ କରିନଥିଲେ ।

ଦିନ ଦିପହରରେ ଲୁଟିନେଲେ ୨ କୋଟିର ସୁନାଗହଣା ।ଅଧଘଂଟାରେ କଳାକନା ବୁଲାଇଦେଲେ ଲୁଟେରା ।ବନ୍ଧୁକ ଦେଖାଇ ଲୁଟିଲେ ଛାତି ଫୁଲାଇ ଖସିଗଲେ ।ତେବେ ଲୁଟ ପରେ ଆଜି ସକାଳୁ ଫାଇନାନ୍ସ କମ୍ପାନୀ ବାହାରେ ଲାଗିଥିଲା ଲୋକଙ୍କ ଭିଡ । କିଏ ସୁନା ହାର ବନ୍ଧା ରଖିଥିଲା ତ ଆଉ କିଏ ଚୁଡି । ବଦଳରେ ନେଇଥିଲେ ଟଙ୍କା । ହେଲେ ଡକାୟତି ପରେ ସମସ୍ତଙ୍କ ମନରେ ନିଜ ନିଜ ସୁନା ଫେରି ପାଇବା ନେଇ ଆଶଙ୍କା ବଢିଯାଇଥିଲା ।

LOOT_00000ବନ୍ଧୁକ ମୁନରେ ଟଙ୍କା ଓ ସୁନା ଲୁଟିବା ପରେ ବିଚ୍ ରାସ୍ତାରେ ସମସ୍ତଙ୍କ ଆଗରେ ଅତି ସହଜରେ ଖସିଯାଇଛନ୍ତି ଲୁଟେରା । ନା କାହାକୁ ଭୟ ଥିଲା ନା ପୋଲିସର ଡର । ହେଲେ ୪-୫ ଜଣ ଡକାୟତଙ୍କୁ ଦେଖି ଭୟଭୀତ ହୋଇପଡିଥିଲେ ଶହ ଶହ ଲୋକ । ସେଥିପାଇଁ ତ ଆରାମରେ ଖସିଗଲେ ଡକାୟତ । କ୍ୟାମେରାରେ କଏଦ ଗାଡି ନମ୍ବର ନେଇ ତଦନ୍ତ ଚଳାଇଛି ପୋଲିସ । ସହରକୁ ଚାରିପାଖରୁ ସିଲ୍ କରି ଚାଲିଛି ଯାଂଚ । ହେଲେ ୨୪ ଘଂଟା ପରେ ବି ହାତ ଖାଲି । ତେବେ ଏତେବଡ ଡକାୟତି ପଛରେ ନିଶ୍ଚିତ ଭାବେ କମ୍ପାନିର କୌଣସି କର୍ମଚାରୀଙ୍କ ହାତ ଥିବ ବୋଲି ପୋଲିସ ସନ୍ଦେହ କରୁଛି । ତେଣୁ ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରି ପୋଲିସ ତଦନ୍ତ କରୁଛି ।