ଶ୍ରାବଣରେ ବର୍ଷାର ଦେଖାନାହିଁ । ଶୁଖିଲା ପଡ଼ିଛି ସାଲୁଙ୍କି ନଦୀ, ଚାଷ ଜମିକୁ ଜଳ ସେଚନ ନେଇ ଚାଷୀ ହତାଶ ।

ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଲା କି, ସ୍ଥାନୀୟ ଚାଷ ଜମିକୁ ଜଳ ସେଚନ ନିମନ୍ତେ କୌଣସି ବିକଳ୍ପ ନାହିଁ । ଯାହାକୁ ନେଇ ଚାଷୀକୁଳ ହତାଶ ହୋଇପଡିଛନ୍ତି ।

241

କନକ ବ୍ୟୁରୋ: କନ୍ଧମାଳର ‘ଜୀବନରେଖା’ କୁହାଯାଉଥିବା ସାଲୁଙ୍କି ନଦୀ ଶୁଖି ଯାଇଛି । ଯାହାଫଳରେ ନଦୀରୁ ଚାଷ ଜମିକୁ ପାଣି ମାଡିବା ମଧ୍ୟ କଷ୍ଟକର ହୋଇପଡୁଛି । ଆଉ ସବୁଠାରୁ ବଡ଼ ଚିନ୍ତାଜନକ ବିଷୟ ହେଲା କି, ସ୍ଥାନୀୟ ଚାଷ ଜମିକୁ ଜଳ ସେଚନ ନିମନ୍ତେ କୌଣସି ବିକଳ୍ପ ନାହିଁ । ଯାହାକୁ ନେଇ ଚାଷୀକୁଳ ହତାଶ ହୋଇପଡିଛନ୍ତି । ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ମୌସୁମୀ ଅପେକ୍ଷାରେ ସତେ ଯେମିତି ସାଲୁଙ୍କି ନଦୀ ଆଖି ଶୁଖିଲା ପଡ଼ିଗଲା ଭଳି ଦେଖିବାକୁ ମିଳିଛି ।

ଅନ୍ୟପଟେ ମୌସୁମୀ ସକ୍ରିୟ ପାଣିପାଗ ବିଭାଗ ତରଫରୁ ନିୟମିତ ସୂଚନା ଦିଆଯାଉଥିଲେ ଦିଆଯାଉଛି। ହେଲେ ମୌସୁମୀର ଦେଖାନାହିଁ । ଖାଲି ଚାଷଜମି ନୁହେଁ, ଏହାର ପ୍ରଭାବ ବି ନଦୀନାଳ ଉପରେ ପଡ଼ିଛି । ଖରା ଦିନେ ଯେଉଁଭଳି ଗୋଟିଏ ଧାରରେ ଅଳ୍ପ କିଛି ପାଣି ଆସେ, ଠିକ୍ ସେହିଭଳି ସ୍ୱଳ୍ପ ପରିମାଣରେ ନଦୀ ଧାରରେ ଗଡୁଛି ପାଣି । କନ୍ଧମାଳର ଧାନ ଓ ପରିବା ଚାଷ କରାଯାଉଥିବା ଜମିକୁ ଜଳସେଚନ ନିମନ୍ତେ ସାଲୁଙ୍କ ନଦୀ ହିଁ ଭରସା ଥିବାବେଳେ ସତେ ଯେମିତି ପ୍ରକୃତି ସାଲୁଙ୍କି ନଦୀ ଉପରେ ଋଷିଥିବା ଭଳି ଅନୁଭବ ହେଉଛି ।

ସାଲୁଙ୍କି ନଦୀରୁ ଚାଷ ଜମିକୁ ଜଳ ସେଚନ ନିମନ୍ତେ ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମାଳ ମାଳ ପ୍ରକଳ୍ପ ନିର୍ମାଣ ହୋଇଛି । ବର୍ଷା କମିବା ପରେ ଏସବୁ ପ୍ରକଳ୍ପରୁ ଚାଷ ଜମିକୁ ଜଳସେଚନ ହୋଇଥାଏ । ଏମିତି ମରୁଡି ହେଲେ ବି ଏସବୁ ପ୍ରକଳ୍ପ ଯୋଗୁଁ ଚାଷ ବଞ୍ଚିଯାଇଥାଏ । ଚାଷୀଙ୍କୁ ବେଶୀ କ୍ଷତି ସହିବାକୁ ପଡି ନଥାଏ। ହେଲେ ଚଳିତବର୍ଷ ଆରମ୍ଭରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୁନ୍ ଯାଇ ଜୁଲାଇ ଶେଷ ହେବାକୁ ବସିଲାଣି ହେଲେ ବର୍ଷାର ଦେଖା ନାହିଁ । ଧାନ ଓ ଅନ୍ୟାନ୍ୟ ଚାଷ ପାଇଁ ଆଜି ସୁଦ୍ଧା ୩୨୫ ମିଲିମିଟର ବର୍ଷା ଦରକାର ପଡୁଥିବା ବେଳେ ହୋଇଛି ମାତ୍ର ୧୩୭ ମିଲିମିଟର ବର୍ଷା।

ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ୧ ଲକ୍ଷ ୪୭ହଜାର ୩୨୩ ହେକ୍ଟର ଜମିରେ ବିଭିନ୍ନ ଚାଷ ହେବା ନିମନ୍ତେ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଥାଏ । ସେଥିମଧ୍ୟରୁ ୫୦ ହଜାର ହେକ୍ଟର ଜମିରେ ଧାନ ଚାଷ ରହିଥିବା ବେଳେ ବାକି ଜମିରେ ପନିପରିବା, ଡାଲି ଓ ତୈଳ ଜାତୀୟ ଚାଷ ହୋଇଥାଏ । ବର୍ଷା ଅଭାବ ହେଲେ ଏସବୁ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି । ପ୍ରାୟତଃ ସମୁଦାୟ ୪୦ରୁ ୫୦ ହଜାର ହେକ୍ଟର ଧାନ ଓ ଅନ୍ୟାନ୍ୟ ଚାଷ ଜମିକୁ ଜଳସେଚନ କରିବା ନିମନ୍ତେ ୨୫ରୁ ୨୮ଟି ଛୋଟବଡ଼ ପ୍ରକଳ୍ପ ରହିଛି। ଏସବୁ ପ୍ରକଳ୍ପ ଜଳ ଉଠାଇବା ନିମନ୍ତେ ସବୁ କିଛି ସାଲୁଙ୍କି ନଦୀ ଉପରେ ନିର୍ଭରଶୀଳ।

ଅନ୍ୟପକ୍ଷରେ, ବର୍ଷା ଅଭାବରୁ ଚାଷ ପଛୁଆ। ବୁଣା ଆଦୌ ହୋଇ ନଥିବା ବେଳେ ରୁଆ ମାତ୍ର ୧ ପ୍ରତିଶତ ହୋଇଛି । ଅନ୍ୟ ପଟେ ଚାଷ ଜମି ଫାଟି ଆଁ କରିବାକୁ ବସିଲାଣି। ବର୍ଷା ଅଭାବ ଯୋଗୁଁ ଚାଷ କ୍ଷତିଗ୍ରସ୍ତ ହେବାକୁ ବସିଥିବାବେଳେ କୃଷି ବିଭାଗ ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା ଚଳାଇଛି। ହେଲେ ଏସବୁକୁ ନେଇ ଚାଷକୁଳ ହତାଶ ହୋଇପଡିଛନ୍ତି । ତେଣୁ ଚାଷୀକୁଳ ପାଇଁ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଏବେଠୁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପ୍ରସ୍ତୁତ ହେବା ଜରୁରୀ ହୋଇପଡ଼ିଛି।

Comments are closed.