ଭାରତୀୟ ବଜାରରେ ମିଳୁଥିବା ଲୁଣରେ ମିଶୁଛି କି ମାଇକ୍ରୋପ୍ଲାଷ୍ଟିକ୍?

1

କନକ ବ୍ୟୁରୋ : ଭାରତରେ ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଦେଖାଯାଉଛି । ତେବେ ନିକଟରେ ଭାରତରେ ବିକ୍ରୟ ହେଉଥିବା ଅଧିକାଂଶ ଖାଇବା ଲୁଣରେ ମିଶିଛି ପ୍ରଦୂଷିତ ସମୁଦ୍ର ପାଣିରେ ଥିବା ମାଇକ୍ରୋପ୍ଲାଷ୍ଟିକ୍। ଏ କଥା ଜାଣିବାକୁ ପାଇଛନ୍ତି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି- ବମ୍ବେର (ଆଇଆଇଟି-ବି) ଗବେଷକମାନେ। ଆଇଆଇଟି-ବି’ର ସେଣ୍ଟର୍ ଫର୍ ଏନଭାଇରାଲମେଣ୍ଟ ସାଇନ୍ସ୍ ଆଣ୍ଡ୍ ଇଞ୍ଜିନିୟରିଙ୍ଗ୍ ଏକ ଦୁଇଜଣିଆ ଟିମ୍ ଭାରତର ଜନପ୍ରିୟ ଲୁଣ ବ୍ରାଣ୍ଡ୍ ନମୁନାରୁ ୬୨୬ଟି ମାଇକ୍ରୋପ୍ଲାଷ୍ଟିକ୍ କଣିକା ପାଇଛନ୍ତି। ଏହି ଅତି ସୂକ୍ଷ୍ମ ପ୍ଲାଷ୍ଟିକ୍ କଣିକାଗୁଡ଼ିକରୁ ୬୩% ହେଉଛି ପ୍ଲାଷ୍ଟିକ୍ ଖଣ୍ଡ ଏବଂ ୩୭% ପ୍ଲାଷ୍ଟିକ୍ ତନ୍ତୁ। ସମୁଦ୍ର ପାଣିରୁ ଲୁଣ ମାରିବା କି, ଲୁଣ ତିଆରି ପ୍ରକ୍ରିୟା କାରଣରୁ ନୁହେଁ ସମୁଦ୍ର ପାଣି ପ୍ଲାଷ୍ଟିକ୍ ଆବର୍ଜନାରେ ପ୍ରଦୂଷିତ ହୋଇଥିବାରୁ ଲୁଣରେ ସୂକ୍ଷ୍ମ ପ୍ଲାଷ୍ଟିକ୍ କଣିକା ମିଶିଥିବା କଥା ଗବେଷକମାନେ କହିଛନ୍ତି।

 

ଯୁକ୍ତରାଷ୍ଟ୍ର ଆମେରିକାର ନେସ୍ନାଲ୍ ଓସେନିକ୍ ଆଣ୍ଡ୍ ଆଟମୋସ୍ପିୟରକ ଆଡମିନଷ୍ଟ୍ରେସନ ୫ ମିଲିମିଟରୁ କମ୍ ବା ତିଳ ଆକାରର ପ୍ଲାଷ୍ଟିକ୍ କଣିକାକୁ ମାଇକ୍ରୋପ୍ଲାଷ୍ଟିକ୍ ଶ୍ରେଣୀଭୁକ୍ତ କରିଛି। ସମୁଦ୍ର ମଧ୍ୟରେ ଜମା ହେଉଥିବା ବଡ଼ ବଡ଼ ପ୍ଲାଷ୍ଟିକ୍ ଖଣ୍ଡ କ୍ରମେ ଭାଙ୍ଗିରୁଜି ଛୋଟ ଛୋଟ ହେବା ପରେ ମାଇକ୍ରୋପ୍ଲାଷ୍ଟିକରେ ପରିଣତ ହେଉଛି। ଲୁଗାପଟା ଧୋଇବାବେଳେ ମାଇକ୍ରୋଫାଇବର ବା ଅତି କ୍ଷୁଦ୍ର କୃତ୍ରିମ ତନ୍ତୁ ବାହାରି ପାଣିରେ ମିଶିଥାଏ। ମାଇକ୍ରୋପ୍ଲାଷ୍ଟିକ୍ ଓ ମାଇକ୍ରୋଫାଇବର୍ ସମୁଦ୍ର ଖାଦ୍ୟ ଏବଂ ଲବଣ ଦ୍ୱାରା ଆମ ଖାଦ୍ୟ ଶୃଙ୍ଖଳ ମଧ୍ୟରେ ମିଶୁଥିବା କଥା ଜାତୀୟ ଓ ଆନ୍ତର୍ଜାତୀୟ ଅଧ୍ୟୟନ କହୁଛି। ପବ୍ଲିକ୍ ଲାଇବ୍ରେରି ଅଫ୍ ସାଇନ୍ସ୍ ଜର୍ଣ୍ଣାଲେ ପ୍ରକାଶିତ ୨୦୧୪ର ଏକ ଅଧ୍ୟୟନ ଅନୁସାରେ, ବିଶ୍ୱର ସମୁଦ୍ରରେ ୫ ଟ୍ରିଲିୟନ୍ରୁ ଅଧିକ ପରିମାଣର ପ୍ଲାଷ୍ଟିକ୍ ଭାସୁଛି।

 

କେତେକ ଦେଶର ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ ରହୁଛି ବୋଲି ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ରେକର୍ଡ କରିଛନ୍ତି। ଭାରତ ହେଉଛି ବିଶ୍ୱରେ ତୃତୀୟ-ବୃହତ୍ ଲୁଣ ଉତ୍ପାଦନକାରୀ ଦେଶ। ୨୦୧୭ରେ ଭାରତ ୨୬ ମିଲିୟନ୍ ମେଟ୍ରିକ୍ ଟନ୍ ଖାଇବା ଓ ଶିଳ୍ପ ନିନ୍ତେ ଆବଶ୍ୟକ ଲବଣ ଉତ୍ପାଦନ କରିଛି। ଚୀନ୍ ଉତ୍ପାଦନ କରିଛି ୬୮ ମିଲିୟନ୍ ଟନ୍ ଏବଂ ଆମେରିକାର ଲୁଣ ଉତ୍ପାଦନ ୪୩ ମିଲିୟନ୍ ଟନ୍। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ଗାଇଡ୍ଲାଇନ୍ ଅନୁସାରେ ଜଣେ ପ୍ରାପ୍ତ ବୟସ୍କ ଦୈନିକ ୫ ଗ୍ରାମ୍ ଲୁଣ ଖାଇବା ଉଚିତ। ସେହି ଅନୁସାରେ ହିସାବ କଲେ ଜଣେ ବର୍ଷକୁ ଲୁଣ ସହିତ ୧୧୭ ମାଇକ୍ରୋଗ୍ରାମ୍ ପ୍ଲାଷ୍ଟିକ କଣିକା ଖାଉଛି। ଏତିକି ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍ ଖାଇବା ଦ୍ୱାରା ଶରୀର ଉପରେ କି, ପ୍ରଭାବ ପଡ଼ିବ ତାହା ଜଣାପଡ଼ି ନାହିଁ।

Comments are closed.