ଓଡିଶା ଆସି ଖୁସ୍ ହୋଇଗଲେ ଭାଇଜାନ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ, ଓଡିଆରେ ଦର୍ଶକଙ୍କୁ ପଚାରିଲେ ବାଲିଯାତ୍ରା କେମିତି ଚାଲିଛି, ଦେଖନ୍ତୁ ଭିଡିଓ

2,644

କନକ ବ୍ୟୁରୋ : ଓଡିଶା ଆସି ଖୁସି ହୋଇଗଲେ ସଲମାନ ଖାନ୍ । ହକି ବିଶ୍ୱକପର ସେଲିବ୍ରେସନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମେତ ଓଡିଶାବାସୀଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ସଲମାନ । ସୁଲତାନ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିବା ମାତ୍ରେ ଦର୍ଶକ ବେଶ ଉତ୍ସାହିତ ହୋଇଯାଇଥିଲେ । ଭାଇଜାନ ଭାଇଜାନ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ଷ୍ଟାଡିୟମ । ଆଉ ଏଭଳି କ୍ରାଉଡ ଦେଖି ସଲମାନ ମଧ୍ୟ ଉତ୍ସାହିତ ହୋଇ ଯାଇଥିଲେ ।


ସଲମାନ ମାଇକ ଧରିବା କ୍ଷଣି ପୂରା ଷ୍ଟାଡିୟମରେ ମୋବାଇଲ ଫ୍ଲାସ ଲାଇଟ ଜଳି ଉଠିଥିଲା । ଆଉ ଏହାକୁ ଦେଖି ବେଶ ଭାବବିହ୍ୱଳ ହୋଇଯାଇଥିଲେ ସଲମାନ । ଓଡିଆରେ ଆରମ୍ଭ କରିଥିଲେ ନିଜର ଅଭିଭାଷଣ । ଓଡିଆରେ ଦର୍ଶକଙ୍କୁ କେମିତି ଅଛ ବୋଲି କହିବା କ୍ଷଣି ତାଳି ମାଡରେ ଫାଟି ପଡିଥିଲା ପୂରା ଷ୍ଟାଡିୟମ । ଏପରିକି ବାଲିଯାତ୍ରା କେମିତି ଚାଲିଛି ବୋଲି କହିବା ସହ ମୁଁ ତୁମକୁ ବହୁତ ଭଲପାଏ ବୋଲି କହିଥିଲେ । ଆଉ ଏହାପରେ ନବୀନଙ୍କ ହାତ ଧରି ଷ୍ଟେଜ ଉପରକୁ ଆଣିଥିଲେ ସଲମାନ ।

ପରେ ହକି ବିଶ୍ୱକପ ଟ୍ରଫି ପ୍ରତିକୃତ୍ତି ଦେଇ ସଲମାନଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହାପରେ ଆରମ୍ଭ ହୋଇଥିଲା ସଲମାନଙ୍କ ସୋ’ । ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ମଧ୍ୟ ଯେଉଁଭଳି ଆତିଥେୟତା ମିଳିଲା ତାହାକୁ ବେଶ ପ୍ରଂଶସା କରିଥିଲେ ସଲମାନ । ବିମାନବନ୍ଦରରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯେଉଁଭଳି ତାଙ୍କୁ ସ୍ୱାଗତ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଥିଲେ ଭାଇଜାନ ।

ଏସବୁ ଭିତରେ ଓଡିଶାବାସୀଙ୍କୁ ପ୍ରଂଶସା କରିବାକୁ ଭୁଲିନଥିଲେ ସଲମାନ । ଓଡିଶା ଖାସକରି କଟକରେ ଯେଉଁ ଭାଇଚାରା ପରମ୍ପରା ରହିଛି ତାହାକୁ ବେଶ ପ୍ରଂଶସା କରିଥିଲେ ଦବଙ୍ଗ ଖାନ । ଏଭଳି ପରମ୍ପରା ସବୁଠି ରହିବା ଦରକାର ବୋଲି କହିଛନ୍ତି ସଲମାନ । ଏହାଛଡା ହକି ବିଶ୍ୱକପର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ସଲମାନ । ନବୀନଙ୍କ ୧୮ ବର୍ଷର ଶାସନକୁ ପ୍ରଂଶସା କରିବା ସହ ତାଙ୍କର କୋହ୍ଲାପୁରୀ ଚପଲକୁ ନେଇ ସଲମାନ ବେଶ ପ୍ରଂଶସା କରିଛନ୍ତି । ଆଉ ଏହି ସମୟରେ ହଠାତ୍ ମଞ୍ଚ ଉପରକୁ ସଲମାନଙ୍କ ଜଣେ ପ୍ରଂଶସକ ଉଠି ଆସିଥିଲେ । ଏପରିକି ସଲମାନଙ୍କ ପାଦ ଛୁଇଁ ନମସ୍କାର କରିବାକୁ ଚେଷ୍ଟା କରିଥିଲେ ।


ଏତିକିରେ ସରିନଥିଲା ସଲମାନଙ୍କ ସୋ’ । ପୁଣିଥରେ କଟକ ବାସୀଙ୍କୁ ପସନ୍ଦ କରିବା ସହ ପ୍ରସିଦ୍ଧ ଦହିବରା ଆଳୁଦମ ନିଶ୍ଚୟ ଖାଇବେ ବୋଲି କହିଥିଲେ । ଆଉ ଶେଷରେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଶେଷ କରିଥିଲେ ସଲମାନ । ତେବେ ଏହା ଭିତରେ ସଲମାନ ଓ ନବୀନଙ୍କ ଏକ ବିରଳ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ସଲମାନ ଓ ନବୀନ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ଏହାପୂର୍ବରୁ ସଲମାନ ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରୁ କାର ଯୋଗେ ବାରବାଟୀ ଯାଇଥିଲେ ସଲମାନ । ଆଉ ଏହି ସମୟରେ ସଲମାନଙ୍କ ଟିକିଏ ଝଲକ ପାଇବା ପାଇଁ ରାସ୍ତା କଡରେ ଶହ ଶହ ପ୍ରଂଶସକ ଭିଡ ଜମାଇଥିଲେ ।