ପ୍ରଶଂସକଙ୍କ ପାଗଳପଣ : ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କୁ ଭେଟିବା ପାଇଁ ୬୦୦ କି.ମି ସାଇକେଲ୍ ଚଲାଇ ପହଂଚିଲେ ୫୨ ବର୍ଷୀୟ ଫ୍ୟାନ୍

352

ଷ୍ଟାରମାନଙ୍କୁ ସୁପରଷ୍ଟାର କରିଥାନ୍ତି ପ୍ରଶଂସକ। ସେହି ଫ୍ୟାନ୍ସ କେବେ ଷ୍ଟାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥାନ୍ତି ତ ଆଉ କେବେ ନିଜ ପ୍ରିୟ ଷ୍ଟାରମାନଙ୍କୁ ଭେଟିବା ପାଇଁ ସବୁ ସୀମା ପାର୍ କରିଦିଅନ୍ତି । ସିନେମା ଜଗତରେ ଭାଇଜାନ୍ ନାମରେ ପରିଚିତ ସଲମାନ୍ ଖାନ୍ ଙ୍କ ପ୍ରଶଂସକଙ୍କ ତାଲିକା କହିଲେ ନସରେ । ଏବେ ସଲମାନ ଖାନଙ୍କ ଏଭଳି ଏକ ଫ୍ୟାନ୍ସ ସାମ୍ନାକୁ ଆସିଛନ୍ତି । ଯିଏ ସଲମାନଙ୍କୁ ଦେଖା କରିବା ପାଇଁ ୬୦୦ କିଲୋମିଟର ବାଟ ସାଇକେଲ ଚଲାଇ ଆସିଛନ୍ତି । ଫ୍ୟାନ୍ସ ଜଣକ ହେଲେ ଆସାମର ତିନସୁକିଆରେ ରହୁଥିବା ଭୁପେନ୍ ଲିକସନ୍ । ସେ ସଲମାନଙ୍କ ବଡ ପ୍ରଶଂସକ ଅଟନ୍ତି ।

ସୂଚନାନୁସାରେ, ସଲମାନଙ୍କୁ ଫିଲ୍ମ ଫେୟାର ଆୱାର୍ଡ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଗୌହାଟୀ ଯିବାର ଥିଲା । ଏ କଥା ଜାଣିପାରି ଭୁପେନ ସଲମାନଙ୍କୁ ଦେଖା କରିବା ପାଇଁ ଗୌହାଟୀ ଯିବାକୁ ମନସ୍ଥ କଲେ । ଏନଆଇ ଟ୍ୱିଟ୍ ମୁତାବକ, ତିନସୁଖିଆରୁ ଭୁପେନ ୬୦୦ କିଲୋମିଟର ଅତିକ୍ରମ କରି ଗୌହାଟୀରେ ପହଁଚିଥିଲେ । ଫଟୋରେ ସେ ଏକ ପ୍ରିଣ୍ଟଆଉଟ କାର୍ଡ ଧରିଥିବା ଦେଖିବାକୁ ମିଳିଛି । ଭୁପେନ ୮ ଫେବୃଆରୀ ତିନସୁଖିଆରୁ ସାଇକେଲ ଚାଳନା ଆରମ୍ଭ କରିଥିଲେ । ତାଙ୍କ ନାମକୁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରାଯାଇଛି । ସେ ୧ ଘଣ୍ଟାରେ ୪୮ କିମି ଯାଏଁ ସାଇକେଲ ଚଲାଇଛନ୍ତି।