ବଳାତ୍କାରୀକୁ ବଡ ଶାସ୍ତି । ସାଲେପୁରରେ ନାବାଳିକା ଦୁଷ୍କର୍ମକାରୀ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡ ଦେଲେ ପକ୍ସୋ କୋର୍ଟ ।

୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା; ୧୭ ମାସ ଭିତରେ ବିଚାର କରି ରାୟ ଶୁଣାଇଲେ ଅଦାଲତ

741

କନକ ବ୍ୟୁରୋ: ବଳାତ୍କାରୀକୁ ବଡ ଶାସ୍ତି । ସାଲେପୁରରେ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୧୭ ମାସ ତଳେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରଳ ବୋଲି କହି, କୋର୍ଟ ଅଭିଯୁକ୍ତକୁ ଫାଶୀରେ ଝୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଲେପୁରରେ ଜଣେ ୬ ବର୍ଷର ନାବାଳିକାକୁ ଚକଲେଟ୍ ଦେବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା ଅଭିଯୁକ୍ତ ।

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ସାଲେପୁରରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇ ଫାଶୀଦଣ୍ଡ ଦେଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଘଟଣାକୁ ଅତି ଜଘନ୍ୟ ଓ ବିରଳ ଦର୍ଶାଇ ଦୁଷ୍କର୍ମକାରୀକୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଆଇପିସିର ଦଫା ୩୦୨ ଓ ୩୭୬ (ଏବି)ରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଏଥିସହ ଧାରା ୩୬୩ରେ ୭ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ପକସୋ ଆଇନ୍ର ଧାରା ୬ ଅନୁଯାୟୀ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଗାଁରେ ବିଜୁଳି ନଥିବା ବେଳେ ଘର ଦାଣ୍ଡରେ ଖେଳୁଥିଲା ୬ ବର୍ଷର ନାବାଳିକା । ଏହି ସମୟରେ ସେଠାରେ ପହଁଚିଯାଇଥିଲା ଅଭିଯୁକ୍ତ ମୁସ୍କାକ । ଶିଶୁଟିକୁ ଚକୋଲେଟ୍ ଦେବା ବାହାନାରେ ଡାକି ନେଇଥିଲା । ଗାଁର ଏକ ସ୍କୁଲ ବାରଣ୍ଡାରେ ଦୁଷ୍କର୍ମ କରିବା ପରେ ଅତି ଅମାନବୀୟ ଭାବେ ତଂଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ନାବାଳିକାର ଦେହରେ ଗୁରୁତର କ୍ଷତ ଚିହ୍ନ ଥିବା ବେଳେ ବେକ ହାଡ ଭାଂଗିଯାଇଥିଲା । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲର ଟ୍ରମା ଆଇସିୟୁରେ ନାବାଳିକାକୁ ୧୩ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ନିରୀକ୍ଷଣରେ ରଖା ଯାଇଥିଲା । ତେବେ ଘଟଣାର ୮ ଦିନ ପରେ ଆଖି ବୁଜିଦେଇଥିଲା ନାବାଳିକା ।

ତେବେ କଟକ ପକ୍ସୋ କୋର୍ଟରେ ପ୍ରଥମ ଥର ପାଇଁ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି । ମାତ୍ର ୧୭ ମାସ ଭିତରେ ବିଚାର କରି ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି କୋର୍ଟ ।