‘ସାହିତ୍ୟ ଘର’ର ଷଷ୍ଠ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ: କବିତା ପାଠୋତ୍ସବ ସହ ପୁସ୍ତକ ପ୍ରଦର୍ଶନୀ, ମତ ରଖିଲେ ମନୋଜ ଦାସ ଓ ଜୟନ୍ତ ମହାପାତ୍ର

79

କନକ ବ୍ୟୁରୋ: ସାହିତ୍ୟ ଘରର ଷଷ୍ଠ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ । ଓଡିଶାର ବିଭିନ୍ନ ଅଂଚଳରୁ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡିଶାର ବିଭିନ୍ନ ସାହତ୍ୟ ଘରରୁ ଆସିଥିବା ପ୍ରତିନିଧି । ଏହି ସମ୍ମିଳନୀରେ ଓଡିଶାର ବିଶିଷ୍ଟ ସାହିତ୍ୟକ ଜୟନ୍ତ ମହାପାତ୍ର ଓ ମନୋଜ ଦାସ ଯଥାକ୍ରମେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ।

ସାହିତ୍ୟଘରର ପ୍ରତିଷ୍ଠାତା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ତଥା ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଇସାନ ପାତ୍ରଙ୍କ ଉପସ୍ଥିତିରେ ଏହି ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ରାଜ୍ୟର ମୋଟ ୩୪୦ ସାହିତ୍ୟ ଘର ଶାଖାର ଦୁଇଜଣ ଲେଖାଏଁ ପ୍ରତିନିଧିଙ୍କୁ ନେଇ ହେଉଥିବା ଏହି ସାରସ୍ୱତ ସମାରୋହରେ ଓଡିଆ ସାହିତ୍ୟ ଓ ଲୋକସଂସ୍କୃତିକୁ ନେଇ ଏକ ବୁଲେଟିନ ଉନ୍ମୋଚିତ ହୋଇଛି । ଏହା ସହିତ ଶାଖାଗୁଡିକରେ ବର୍ଷତମାମ କାର୍ଯ୍ୟକ୍ରମକୁ ନେଇ ଏକ ବୃତିଚିତ୍ର ପ୍ରଦର୍ଶିତ ହୋଇଛି ।

ଏହାପରେ ସାହିତ୍ୟ ଓ ରାଜନୀତି ସମ୍ପର୍କୀତ ଆଲୋଚନାଚକ୍ରରେ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟକ ବିଭୁତି ପଟ୍ଟନାୟକ , ଡ. ଗୌରହରି ଦାସ, ସ୍ତମ୍ବକାର ରଣଜିତ ଗୁରୁ, ଗାଳ୍ପିକ ଓ ଭାଷ୍ୟକାର ଦେବପ୍ରସାଦ ଦାସ, ପ୍ରାଧ୍ୟାପକ ଡ. ସନ୍ତୋଷ ରଥ, ପ୍ରଫେସର ସଂଗୀତା ରଥ ପ୍ରମୁଖ ଯୋଗଦେଇଛନ୍ତି । ତାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ଆମ ଓଡିଶା ପକ୍ଷରୁ ପୁସ୍ତକ ପ୍ରଦର୍ଶନୀ କରାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର କନଭେନସନ ସେଂଟରରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।