ଗାଁ ମାଟିକୁ ବୀର ପୁଅଙ୍କ ଶେଷ ଯାତ୍ରା ! ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ ପହଞ୍ଚିଲା ସହିଦ ମନୋରଞ୍ଜନଙ୍କ ମରଶରୀର, କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ

46

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ମନୋରଞ୍ଜନ ଲେଙ୍କାଙ୍କ ମରଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ମନୋରଞ୍ଜନଙ୍କ ମରଶରୀର ପହଞ୍ଚିବା ପରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ବରିଷ୍ଠ ମନ୍ତ୍ରୀ ସହିଦଙ୍କୁ ଶେଷସମ୍ମାନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମନୋରଞ୍ଜନଙ୍କ ମରଶରୀର ବିମାନମନ୍ଦରରୁ ସିଧାସଳଖ ବ୍ରହ୍ମଗିରିର ରେବଣା ନୂଆଗାଁକୁ ଏକ ବିଶାଳ ଶୋଭାଯାତ୍ରାରେ ନିଆଯିବ । ବୀର ମାଟିରେ ବୀର ପୁଅକୁ ଶେଷ ସମ୍ମାନ ଜଣାଇବା ପାଇଁ ରେବଣା ନୂଆଗାଁରେ ୧୦ ହଜାର ଶୋକାକୁଳ ଜନତା ଅପେକ୍ଷା କରି ରହିଛନ୍ତି ।

ପୁରୀ ଜିଲ୍ଲା ରେବଣା ନୂଆଗାଁର ମନୋରଂଜନ ଲେଙ୍କା ଏହି ମାଓ ବର୍ବରତାରେ ସହିଦ ହୋଇଛନ୍ତି । ମନୋରଂଜନ ଲେଙ୍କା ହେଉଛନ୍ତି ଦୁର୍ୟ୍ୟାଧନ ଲେଙ୍କାଙ୍କ ପୁଅ । ଦୁଃଖର କଥା ହେଉଛି-ମନୋରଂଜନ ୧୫ ଦିନ ପୂର୍ବରୁ ମୃତ ବାପାଙ୍କ ଶୁଦ୍ଧିକ୍ରିୟା ସାରି କାର୍ୟ୍ୟରେ ଯୋଗଦେଇଥିଲେ । ମନୋରଂଜନ ଅବିବାହିତ ଥିବା ବେଳେ ତାଙ୍କ ଉପରେ ପରିବାର ନିର୍ଭରଶୀଳ ଥିଲା । ତାଙ୍କ ସହିଦ ହେବା ଖବର ଆସିବା ପରେ ପରିବାରରେ ଦୁଃଖର ବାଦଲ ଖେଳି ଯାଇଛି । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଗାଁ ।

ଏହାପୂର୍ବରୁ ଛତିଶଗଡ ସୁକମା ଜିଲ୍ଲାର କିସ୍ତରାମରେ ହୋଇଥିବା ମାଓବାଦୀ ଆକ୍ରମଣରେ ସହିଦ୍ ଯବାନମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯାଇଛି । ରାୟପୁରର ମାନା ସ୍ଥିତ ସିଆରପିଏଫ କ୍ୟାମ୍ପଠାରେ ସହୀଦ ଯବାନ ଶେଷ ସମ୍ମାନ ଜଣାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ହଂସରାଜ ଅହିର । ଏହାପରେ ସହୀଦଙ୍କ ପାର୍ଥୀବ ଶରୀରକୁ ସ୍ୱତନ୍ତ୍ର ବିମାନ ଓ ହେଲିକପ୍ଟର ଯୋଗେ ପୈତୃକ ଗାଁ ପଠାଯାଇଛି ।