ସଚିନଙ୍କୁ ସଲାମ୍ ଜଣାଇବ ସ୍ମାର୍ଟସିଟି । ହୃତ୍ ସ୍ପନ୍ଦନ ବଢାଇବେ ମାଷ୍ଟର ବ୍ଲାଷ୍ଟର । ନବୀନ ଜଣାଇଲେ କୃତଜ୍ଞତା

447

କନକ ବ୍ୟୁରୋ: କଳିଙ୍ଗରେ ହାର୍ଟ ବିଟ୍ ବଢାଇବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଓଡିଶା ଆସୁଛନ୍ତି ଏହି ମହାନ କ୍ରିକେଟର । ବିଶ୍ୱ କପ୍ ହକି ଉଦଯାପନୀ ଉତ୍ସବରେ ସାମିଲ ହେବାକୁ ସଚିନ୍ କାଲି ଭୁବନେଶ୍ୱରରେ ପହଂଚିବେ । ଏନେଇ ଆଜି ଟୁଇଟ୍ କରି ଜଣାଇଛନ୍ତି ସଚିନ । ଭୁବନେଶ୍ୱରରେ ହକି ବିଶ୍ୱକପ ଆୟୋଜନକୁ ବିଶ୍ୱସ୍ତରୀୟ ବୋଲି କହିଛନ୍ତି ସଚିନ ତେନ୍ଦୁଲକର । ସେପଟେ ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଟ୍ୱିଟ୍ କରି ନବୀନ କହିଛନ୍ତି, ତାଙ୍କ ଉପସ୍ଥିତି ଲକ୍ଷ ଲକ୍ଷ ଫ୍ୟାନଙ୍କୁ ଉତ୍ସାହିତ କରିବ । କଳିଙ୍ଗ ଷ୍ଟାଡିଅମ୍ରେ ହକି ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ଚିତାକର୍ଷକ ହୋଇଥିବା ବେଳେ ଏଥିରେ ବଲିଉଡ୍ କିଙ୍ଗ ଖାନ ଶାହରୁଖ, ମାଧୁରୀ ଦିକ୍ଷିତ ଏବଂ ଓସ୍କାର ବିଜେତା ସଂଗୀତକାର ଏ.ଆର୍ ରେହମାନ ଯୋଗ ଦେଇଥିଲେ । ପରେ କଟକର ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ୍ ହକି ସେଲିବ୍ରେସନ୍ରେ ସାମିଲ ହୋଇଥିଲେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ । ଏହାପରେ ଚର୍ଚା ହେଲା ଉଦଘାଟନୀ ଭଳି ଉଦଯାପନୀ ଉତ୍ସବ ବି ବଡ ଧରଣର ଏବଂ ରଙ୍ଗାରଙ୍ଗ ହେବ । ଏଥିରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ବିଗ୍ ବି ଅମିତାଭ ବଚ୍ଚନଙ୍କ ସମେତ ବଲିଉଡ୍ର ଅନେକ ସେଲିବ୍ରିଟି ଯୋଗ ଦେବେ ।

ତେବେ କିଛି ବି ଫାଇନାଲ ହୋଇନଥିଲା । ଏପରିକି ଉଦଘାଟନୀ ଉତ୍ସବ ଟିକେଟ୍ ନମିଳିବା ବିବାଦ ପରେ ଉଦଯାପନୀ ଉତ୍ସବ ନିରାଡମ୍ବର କରାଯିବ ବୋଲି କୁହାଯାଉଥିଲା । ଶେଷରେ ଆଜି ଟ୍ୱିଟ୍ କରି ଭୁବନେଶ୍ୱର ଆସିବାକୁ ସହମତି ଜଣାଇଛନ୍ତି ସଚିନ୍ ତେନ୍ଦୁଲକର । ସଚିନ୍ କହିଛନ୍ତି, କଳିଙ୍ଗ ଷ୍ଟାଡିଅମରେ ସେ ଉପସ୍ଥିତ ରହି ବିଶ୍ୱକପ୍ ହକିର ଫାଇନାଲ ମ୍ୟାଚ୍ ଦେଖିବେ । ସେପଟେ କ୍ରିକେଟ୍ର ଭଗବାନ ସଚିନ ତେନ୍ଦୁଲକର କଳିଙ୍ଗ ଷ୍ଟାଡିଅମ୍ ଆସୁଥିବା ଜାଣିବା ପରେ ହକିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ସଚିନଙ୍କୁ ଦେଖିବାକୁ ଆସନ୍ତାକାଲି ପ୍ରବଳ ଭିଡ ହେବା ଅନୁମାନ କରାଯାଉଛି । ଭାରତୀୟ ଟିମ୍ ବିଶ୍ୱକପରୁ ବିଦା ହୋଇଯାଇଥିବା ବେଳେ ସଚିନଙ୍କ କଳିଙ୍ଗ ଷ୍ଟାଡିଅମ୍ ଆସିବା ନିଷ୍ପତି ହକି ପ୍ରତି ପୁଣି ଦର୍ଶକଙ୍କ କ୍ରେଜ୍ ବଢାଇଦେଇଛି ।