ସାବରୀମାଳା ମନ୍ଦିରକୁ ଯାଇପାରିବେ ମହିଳା ! ପୂର୍ବ ଆଦେଶକୁ ଓଲଟାଇଲେ ସୁପ୍ରିମକୋର୍ଟ, ବଡ ବେଂଚକୁ ସ୍ଥାନାନ୍ତର ହେଲା ମାମଲା ।

282

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ସାବରୀମାଳା ରାୟ । ସାବରିମାଳା ମନ୍ଦିର ବିବାଦକୁ ନେଇ ଆସିଲା ସୁପ୍ରିମକୋର୍ଟରେ ବଡ ଶୁଣାଣି । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାକୁ ଏକ ବୃହତର ବେଂଚକୁ ସ୍ଥାନାନ୍ତର କରିଛନ୍ତି । ପୂର୍ବ ରାୟକୁ ବଦଳାଇ ଏହାର ଆଗାମୀ ଶୁଣାଣି ବୃହତର ବେଂଚରେ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣାକୁ ନେଇ ଏହି ମାମଲା ଚାଲିଛି । ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ରାୟ ଆସିବା ପରେ ଏହାର ପୁନର୍ବିଚାର ଅବେଦନ ହୋଇଥିଲା । ଏବେ ଏହି ମାମଲାର ଶୁଣାଣି ୭ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଗାମୀ ରାୟ ଆସିବା ଯାଏଁ ମହିଳାଙ୍କ ମନ୍ଦିର ପ୍ରବେଶ ଜାରି ରହିବ ବୋଲି ଜଣାପଡିଛି ।

ଗୁରୁବାର ସୁପ୍ରିମକୋର୍ଟ ସାବରିମାଲା ମନ୍ଦିର ମାମଲାକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିଛନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ୩: ୨ ଗରିଷ୍ଠତା ଅନୁପାତରେ ୭ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ରେଫର୍‌ କରିଛନ୍ତି ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏ ଏମ୍‌ ଖାନ୍‌ଓ୍ଵାଲିକର୍‌ ଏବଂ ଇନ୍ଦୁ ମଲହୋତ୍ରାଙ୍କ ରାୟ ସଂଖ୍ୟା ଗରିଷ୍ଠ ହୋଇଛି । ରାୟରେ ସେମାନେ କହିଛନ୍ତି ଯେ ଧାର୍ମିକ ବିଶ୍ୱାସ ଏବଂ ପ୍ରଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଥିବାରୁ ଏହା ୭ଜଣିଆ ଖଣ୍ଡପୀଠଙ୍କ ବିଚାର ଆବଶ୍ୟକ କରୁଛି ।
ବାର୍ଷିକ ତିନିମାସିଆ ତୀର୍ଥାଟନ ନିମନ୍ତେ ନଭେମ୍ବର ୧୭ ତାରିଖରେ ସାବରିମାଲା ମନ୍ଦିର ଖୋଲିବ । ୧୦ ରୁ ୫୦ ବର୍ଷ ବୟସ୍କା କିଶୋରୀ ଏବଂ ମହିଳାମାନଙ୍କ ଲାଗି ବାରଣ କରାଯାଇଥିବା ମନ୍ଦିର ପ୍ରବେଶ ନିୟମକୁ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ସୁପ୍ରିମକୋର୍ଟ ନିଷିଦ୍ଧ କରିଥିଲେ । ଏହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ୍‌ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । ୪:୧ ଅନୁପାତ ସଂଖ୍ୟା ଗରିଷ୍ଠତା ରାୟ ଭିତ୍ତିରେ ସୁପ୍ରିମକୋର୍ଟ ମହିଳାଙ୍କୁ ସାବରିମାଲା ମନ୍ଦିର ବାରଣ ପ୍ରଥାକୁ ବେଆଇନ ଏବଂ ଅଣସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏସବୁ ରିଭ୍ୟୁ ପିଟିସନ୍‌ ଉପରେ ନେଇଥିବା ନିଷ୍ପତ୍ତିକୁ ଫେବ୍ରୁଆରି ୬ ତାରିଖ ଦିନ ସଂରକ୍ଷିତ ରଖିଥିଲେ ।