ଖୋଲିଲା ମନ୍ଦିର ବଢିଲା ବିବାଦ ! ସାବରିମାଳାରେ ବିକ୍ଷୋଭକାରୀଙ୍କ ପିକେଟିଂ ଦୋକାନ ବଜାର ବନ୍ଦ, ଜୀବନଯାତ୍ରା ପ୍ରଭାବିତ ।

54

କନକ ବ୍ୟୁରୋ : ସବୁବର୍ଗର ମହିଳାଙ୍କୁ ସାବରିମାଳାରେ ଆୟପ୍ପାଙ୍କ ଦର୍ଶନ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଛି । କିନ୍ତୁ ମହିଳାଙ୍କ ପ୍ରବେଶକୁ ନେଇ ଏବେବି ବିବାଦ ଲାଗିରହିଛି । ଏହାରି ମଧ୍ୟରେ ଗତକାଲି ଠାରୁ ପୁଣି ଥରେ ଖୋଲିଛି କେରଳର ସାବରିମାଳା ମନ୍ଦିର । ମଣ୍ଡଳା ମକରଭିଲାକୁ ପର୍ବ ପାଇଁ ସାବରିମାଳା ମନ୍ଦିର ୬୨ ଦିନ ଧରି ଖୋଲା ରହିବ । ଏହାରି ମଧ୍ୟରେ ସଂଘ ପରିବାରର ବରିଷ୍ଠ ନେତା କେପି ଶଶିକଳାଙ୍କ ଗିରଫଦାରୀକୁ ବିରୋଧ କରି ଦକ୍ଷିଣପନ୍ଥୀ ହିନ୍ଦୁ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ନେଇ କେରଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅୟପ୍ପା ଦର୍ଶନ ପାଇଁ ପାମ୍ବାରୁ ସାବରିମାଳା ପର୍ଯ୍ୟନ୍ତ ଭକ୍ତମାନେ ଯାତ୍ରା ଶେଷ କରିଛନ୍ତି । ଏହାରି ମଧ୍ୟରେ ହିନ୍ଦୁ ସଂଗଠନ ଗୁଡିକ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

ପୂର୍ବରୁ ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଥିବା ବହୁ ପୁରୁଣା କଟକଣାକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ସାବରିମାଳା ମନ୍ଦିର ତୃତୀୟ ଥର ପାଇଁ ଖୋଲିଛି । ତେବେ ପୂର୍ବରୁ ଦୁଇ ଥର ବିକ୍ଷୋଭାକାରୀଙ୍କ ପ୍ରତିବାଦ ଯୋଗୁଁ କୌଣସି ମହିଳା ମନ୍ଦିରରେ ପ୍ରବେଶ କରିପାରି ନଥିଲେ । ବିକ୍ଷୋଭକାରୀଂକ ପ୍ରତିବାଦକୁ ଦୃଷ୍ଟିିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ନିଲାକଲ, ପାମ୍ବା ଓ ସନ୍ନିଧାମରେ ୧୪୪ ଧାରା ଜାରି କରାଯାଇଛି । ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟଂକ ରାୟ ପରେ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତିବାଦ ଓ ହିଂସାକାଣ୍ଡ ଦେଖାଦେଇଥିଲା । ଏନେଇ ପ୍ରାୟ ସାଢ଼େ ୩ ହଜାର ପ୍ରତିବାଦକାରୀ ଗିରଫ ହେବା ସହ ୫୨୯ଟି ମାମଲା ରୁଜୁ ହୋଇଛି ।