ଭାରତୀୟଙ୍କ ପାଇଁ ବଢ଼ିଲା ସଂକଟ, ପକେଟ୍ ରେ ପଡିବ ମାଡ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିବା ଦ୍ୱାରା ଜନସାଧାରଣ ସହିବେ ବଡ କ୍ଷତି

62

ଡଲାର ମୁକାବିଲାରେ ଟଙ୍କା ଲଗାତାର ଭାବେ ଦୁର୍ବଳ ହୋଇଯାଉଛି । ଆମେରିକୀୟ ଡଲାର୍ ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଆହୁରି ୮୦ ପଇସା ହ୍ରାସ ପାଇ ୬୮. ୮୯ ପହଞ୍ଚିଛି। ପୂର୍ବରୁ ଏହାର ମୂଲ୍ୟ ଥିଲା ୬୮. ୬୧ ଥିଲା । ବିଶେଷଜ୍ଞଙ୍କ ମୁତାବକ ଏହା ଜାରି ରହିବ । ଟଙ୍କାର ବିନିମୟ ମୂଲ୍ୟ କମିଲେ କେବଳ ଦେଶର କ୍ଷତି ହେବନି, ଜନସାଧାରଣଙ୍କ ଉପରେ ବି ଏହାର ବଡ ପ୍ରଭାବ ପଡିବ । ଆସନ୍ତୁ ଜାଣିବା ଯଦି ଟଙ୍କା ଦୁର୍ବଳ ହେବ, ତେବେ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡିବ ?

ଟଙ୍କାର ବିନିମୟ ମୂଲ୍ୟ କମିବା ଦ୍ୱାରା ଆପଣଙ୍କ ହେବ ୪ଟି କ୍ଷତି :

ଦର ଦାମ ବଢ଼ିବ : ଟଙ୍କା ସାମନାରେ ଡଲାର ମଜବୁତ ହେବା ଦ୍ୱାରା ପ୍ରାକୃତିକ ତୈଳର ଦାମ ବଢ଼ିଯିବ । ଏମିତିରେ ପେଟ୍ରୋଲ-ଡିଜେଲର ଦାମ ଉପରେ ସିଧାସଳଖ ପ୍ରଭାବ ପଡିବ । ଗତ କିଛି ଦିନରେ ପ୍ରାକୃତିକ ତୈଳ ଶସ୍ତା ହେବାରୁ ପେଟ୍ରୋଲ-ଡିଜେଲର ଦାମ କମିଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଯେଉଁ ଦେଶ ପ୍ରାକୃତିକ ତୈଳ ଆମଦାନୀ କରେ, ତାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଭାରତ ପାଇଁ ଅଧିକ ବିପଦ ଏହା ଯେ, ପ୍ରାକୃତିକ ତୈଳ ମହଙ୍ଗା ହେବା ଦ୍ୱାରା ସିଧାସଳଖ ଭାବେ ଦର ଦାମ ବଢ଼ିପାରେ ।

ବିଦେଶ ବୁଲିବା ମହଙ୍ଗା ହେବ : ଟଙ୍କାର ବିନିମୟ ମୂଲ୍ୟ କମ୍ ହେବା ଦ୍ୱାରା ବିଦେଶ ଯାତ୍ରା ମହଙ୍ଗା ହୋଇଯିବ । ମୁଦ୍ରା ରୂପାନ୍ତର କରିବା ପାଇଁ ମଧ୍ୟ ଆପଣଙ୍କୁ ଡଲାର ତୁଳନାରେ ଅଧିକ ଭାରତୀୟ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ବିଦେଶରେ ପାଠପଢ଼ା ହେବ ମହଙ୍ଗା : ଯଦି ଆପଣଙ୍କ ପିଲା ବିଦେଶରେ ପାଠ ପଢ଼ୁଛନ୍ତି, ତେବେ ତାଙ୍କର ପାଠପଢ଼ା ହୋଇଯିବ ମହଙ୍ଗା । ଆଗ ତୁଳନାରେ ଅଧିକ ଫିସ୍, ହୋଷ୍ଟେଲ ବିଲ୍ ଏବଂ ମୁଦ୍ରା ରୂପାନ୍ତରଣରେ ବି ଅଧିକ ଟଙ୍କା ଦେବାକୁ ପଡିବ ।

ବଢ଼ିବ ଆମଦାନୀ ବିଲ୍ : ଟଙ୍କା ଦୁର୍ବଳ ହେବା ସ୍ଥିତିରେ ଭାରତ ଯେଉଁଠି ବି ଡଲାର ମୁକାବିଲାରେ ପେମେଣ୍ଟ କରେ, ତାହା ମହଙ୍ଗା ହୋଇଯିବ । ଏହାର ସିଧା ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡିବ ।

ଜନସାଧାରଣଙ୍କ ଉପରେ କ’ଣ ପଡିବ ପ୍ରଭାବ :

• ଭାରତ ନିଜର ଆବଶ୍ୟକୀୟ ପାଖାପାଖି ୮୦ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରେ ।

• ଟଙ୍କାର ମୂଲ୍ୟ ହ୍ରାସ ହେବା ଦ୍ୱାରା ପେଟ୍ରୋଲିୟମ ପ୍ରଡକ୍ଟର ଆମଦାନୀ ମହଙ୍ଗା ହୋଇଯିବ ।

• ତେଲ କମ୍ପାନୀ ଗୁଡିକ ପେଟ୍ରୋଲ-ଡିଜେଲର ଘରୋଇ ମୂଲ୍ୟରେ ବୃଦ୍ଧି କରିପାରେ ।

• ଟଙ୍କା ଦୁର୍ବଳ ହେଲେ ଘରୋଇ ବଜାରରେ ଖାଦ୍ୟ, ତେଲ ଓ ଡାଲି ଗୁଡିକର ମୂଲ୍ୟ ବଢ଼ିପାରେ ।