ଅଣନିଶ୍ୱାସୀ ରାଉରକେଲା ବାସୀ । ସ୍ମାର୍ଟ ସିଟି ପାଇଁ କାମ କଚ୍ଛପ ଗତିରେ ଚାଲିଛି, ଲୋକଙ୍କ ଯନ୍ତ୍ରଣା ବଢିବଢି ଚାଲିଛି । ସହର ସାରା ଖାଲ ସହ ଧୂଳି ଧୂଆଁରେ ଭର୍ତ୍ତି ପରିବେଶ

261

କନକ ବ୍ୟୁରୋ: ସ୍ମାର୍ଟ ହେବ ଷ୍ଟିଲ ସିଟି । ସମସ୍ୟା ଠାରୁ ଢେର ଆଗରେ ରହିବେ ସ୍ମାର୍ଟ ସିଟିର ମଣିଷ । ଏଥିପାଇଁ କେତେ କଣ ଯୋଜନା । ରାଉରକେଲା ସହରକୁ ସ୍ମାର୍ଟ କରିବା ପାଇଁ ହାତକୁ ନିଆଯାଇଛି ବିଭିନ୍ନ ପ୍ରକଳ୍ପ । ସ୍ମାର୍ଟ ସିଟି ଯୋଜନାରେ ଚାଲିଛି ଉନ୍ନୟନମୂଳକ କାର୍ଯ୍ୟକ୍ରମ । ହେଲେ ପ୍ରକଳ୍ପ ଧିମେଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇପଡିଲେଣି ରାଉରକେଲା ମହାନଗର ବାସିନ୍ଦା ।

ରାଉରକେଲାକୁ ସ୍ମାର୍ଟ କରିବାକୁ କାମ ଉନ୍ନୟନମୂଳକ କାମ ଚାଲିଛି । ମାତ୍ର ଏହା କଚ୍ଛପ ଗତିରେ ଚାଲିଥିବାରୁ ସ୍ମାର୍ଟ ହେବା ଆଗରୁ ସମସ୍ୟା ଭିତରେ ଘାଂଟି ହେଉଛନ୍ତି ଷ୍ଟିଲ ସିଟି ବାସିନ୍ଦା । ଘର ଆଗରେ ଖୋଲା ମେଲାରେ ପଡିଛି ନିର୍ମାଣାଧୀନ ସ୍ୱରେଜ ଚାମ୍ବର । ଆଉ କେଉଁଠି ରାସ୍ତା ଖୋଳା ହୋଇ ଅଧାରେ ପଡିଛି । ଫଳରେ ରାଉରକେଲା ମହାନଗର ଲୋକେ ଘେରାବନ୍ଦୀ ହୋଇ ରହିଛନ୍ତି । ପ୍ରକଳ୍ପ କାମ ହାତକୁ ନେଇଛି ଏଲଆଣ୍ଡଟି ଠିକା କମ୍ପାନୀ । ହେଲେ ଏଲଆଣ୍ଡଟି ପକ୍ଷରୁ ଏଠାରେ ନିୟୋଜିତ ଠିକାଦାର କାମର ସଠିକ୍ ତଦାରଖ କରୁନଥିବାରୁ ନିମ୍ନମାନର କାମ ଚାଲିଥିବା ଅଭିଯୋଗ କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି ରାଉରକେଲା ବିଜେପି ଓ କଂଗ୍ରେସ ।

ଷ୍ଟିଲ ସିଟିରେ କେବଳ ନିମ୍ନମାନର କାମ ଚାଲିଛି ତା ନୁହେଁ, ନିର୍ମାଣାଧୀନ କାର୍ଯ୍ୟସ୍ଥଳୀ ନିୟମତି ପାଣି ସିଂଚନ କରାଯାଉନଥିବାରୁ ସହରବାସୀ ଅତିଷ୍ଠ ହୋଇପଡିଛନ୍ତି । ରାଉରକେଲା ମହାନଗର ନିଗମରେ ୩ ବର୍ଷ ହେବ ଉନ୍ନୟନମୂଳକ କାମ ଚାଲିଛି । ୩୦୦ କୋଟି ଟଙ୍କାର ସ୍ୱରେଜ ପାଇପ୍ ଲାଇନ୍ ବିଛା କାର୍ଯ୍ୟ ଜାରି ରହିଛି । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ କୋଟି ବ୍ୟୟରେ ନୂଆ ପାଇପ୍ ବିଛା କାମ ଚାଲିଛି । ସଂପୃକ୍ତ ବିଭାଗଗୁଡିକ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ କାମ ମନ୍ଥର ଗତିରେ ଚାଲିଥିବା ନେଇ ଅଭିଯୋଗ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରକଳ୍ପ ଧିମେଇ ଯିବା ସହ ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ସ୍ମାର୍ଟ ସିଟିକୁ ଅପେକ୍ଷା କରିଥିବା ରାଉରକେଲା ସହରବାସୀ ।