ବିଧାୟକ ପଦ ଛାଡିବାକୁ ଦିଲ୍ଲୀପଙ୍କ ଇସାରା ପରେ ଜୋର ଧରିଲା ରାଜନୀତି ! ସମର୍ଥନରେ ବାହାରିଲେ ବିଜୟ ।

215

କନକ ବ୍ୟୁରୋ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟ, ବିଧାୟକ ପଦ ଏବଂ ଦଳରୁ ଇସ୍ତଫା ଦେବା ନେଇ ସଙ୍କେତ ଦେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ସେପଟେ ଦିଲ୍ଲୀପଙ୍କ ସମର୍ଥନରେ ବାହାରିଛନ୍ତି ବିଜୟ ମହାପାତ୍ର । ବିଜୟ କହିଛନ୍ତି, ଜଣେ ବିଧାୟକ ଅପମାନିତ ହେବା ଅନୁଭବ କରିଥିବେ, ତେଣୁ ସେ ଏମିତି କହିଛନ୍ତି । ଏସବୁ ଆଲୋଚନା ଚାଲିଥିବା ବେଳେ ଆଜି ଦିଲ୍ଲୀପ ରାୟ ଫେସବୁକରେ ପୋଷ୍ଟ କରି କହିଛନ୍ତି, ଅକ୍ଲାନ୍ତ ପରିଶ୍ରମ ଏବଂ ସଚ୍ଚୋଟତା ସତ୍ୱେ କୌଣସି ସୁଫଳ ନମିଳିବା ତାଙ୍କୁ ଅତ୍ୟଧିକ ନିରାଶ କରିଛି । ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ ।

ବିଧାୟକ ପଦ ଓ ଦଳ ଛାଡିବେ ଦିଲ୍ଲୀପ ? ଦିଲ୍ଲୀପଙ୍କ ସମର୍ଥନରେ ବାହାରିଲେ ବିଜୟ । ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ନହେବାରୁ ଦିଲ୍ଲୀପ ରାୟ ଏହି ମାସ ଶେଷ ଆଡକୁ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି । ଏପରିକି ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏତିକିବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଦିଲ୍ଲୀପ ରାୟଙ୍କ ନିଷ୍ପତିକୁ  ସମର୍ଥନ ଜଣାଇଛନ୍ତି । ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଲେ ତାହାର ଯଥାର୍ଥତା ରହିଛି । ବହୁ ଆଗରୁ ସରକାର ଓ ଦଳ ଏ ବାବଦରେ ଚିନ୍ତା କରିବାର କଥା । ଏବେ ବହୁତ ବିଳମ୍ବ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତିର ନିଜ ବିଷୟରେ ନିଷ୍ପତି ନେବାର ସ୍ୱାଧୀନତା ଅଛି ବୋଲି କହିଛନ୍ତି ବିଜୟ । ଜଣେ ବିଧାୟକ ଅପମାନିତ ହେବା ଅନୁଭବ କରିଥିବେ ତେଣୁ ଏମିତି କହିଛନ୍ତି । ଦିଲ୍ଲୀପଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତି କଣ ହେବ ସେନେଇ ଅବଗତ କରାଇବୁ ବୋଲି କହିଛନ୍ତି ବିଜୟ ମହାପାତ୍ର କହିଛନ୍ତି ।

ଦିଲ୍ଲୀପ ରାୟ କହିଥିଲେ, ତାଙ୍କ ପାଇଁ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲର ଅପଗ୍ରେଡେସନ କାମ ହୋଇପାରୁନାହିଁ ବୋଲି ସେ ଶୁଣିଛନ୍ତି । ଯଦି ଏହି ଦୁଇଟି କାମ ହୋଇଯାଏ ତେବେ ଶ୍ରେୟ ତାଙ୍କୁ ଯିବ ବୋଲି ସେ ଶୁଣିବାକୁ ପାଇଥିବା କହିଥିଲେ । ତେଣୁ ସେ ଇସ୍ତଫା ଦେଲେ ଯଦି କାମ ହୋଇଯିବ ସେଥିରେ ସେ ଖୁସି ହେବେ ବୋଲି କହିଥିଲେ ଦିଲ୍ଲୀପ ।

ଦଳ ପାଇଁ କେହି ଅଲୋଡା ନୁହେଁ । କାହାକୁ ଅପମାନିତ କରିନି ବିଜେପି । ସେପଟେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ବିଜେପିରେ କେହି  ଅଲୋଡା ନୁହଁନ୍ତି । ଦଳ କାହାକୁ ଅପମାନିତ କରିନି । ଦଶ ବର୍ଷ ଧରି ୟୁପିଏ ସରକାର ଟେଣ୍ଡର କରିକି ମଧ୍ୟ ବ୍ରାହ୍ମଣୀ ସେତୁ କରିନଥିଲେ । ତେବେ ମୋଦି ସରକାର ଆସିବା ପରେ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଗୋଲକ ମହାପାତ୍ର । ଦିଲ୍ଲୀପ ବିଧାୟକ ପଦ ଏବଂ ବିଜେପି ଛାଡିବା ନେଇ ଚର୍ଚ୍ଚା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାର ସମ୍ଭାବନା ରହିଛି । କାହିଁକି ନା ବିଜେପିରେ ଅସନ୍ତୁଷ୍ଟ ରହିଥିବା ବିଜୟ ମହାପାତ୍ର ମଧ୍ୟ ଦଳ ଛାଡିବା ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି । ଏପରି ସମୟରେ ବିଜୟ ଦିଲ୍ଲୀପଙ୍କ ସହ କଥା ହୋଇ କଣ ନିଷ୍ପତି ନେବେ ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର ।