୨୨୦ କିଲୋମିଟର ସ୍ପିଡରେ ଟ୍ରାକରେ ଗଡୁଥିଲା ବାଇକ । ହଠାତ୍ ବ୍ରେକ ମାରିଲେ ବାଇକର୍ସ, ଆଉ ତା ପରେ…

30

ବାଇକ ରେସରେ ଜିତିବାର ଇଚ୍ଛା ପ୍ରତି ବାଇକର୍ସଙ୍କର ରହିଥାଏ । ଆଉ ଏଥିପାଇଁ ରେସ ପୂର୍ବରୁ ନିଜକୁ ପ୍ରସ୍ତୁତ କରିଥାନ୍ତି ବାଇକର୍ସ । କିନ୍ତୁ ଲଣ୍ଡନରେ ଆୟୋଜିତ ହେଉଥିବା ବାଇକ ରେସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଖେଳାଳିଙ୍କ ଖେଳଭାବନା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବାଇକ ରେସକୁ ଜିତିବା ପାଇଁ ଜଣେ ରାଇଡର ଏଭଳି କିଛି କରିଛନ୍ତି ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ ।ବାଇକ ରେସ ଜିତିବା ପାଇଁ ଜଣେ ପ୍ରତିଦ୍ୱନ୍ଦୀ କେତେ ତଳକୁ ଖସିପାରେ ତାହା ସାମ୍ନାକୁ ଆସିଛି ।

ଟ୍ରାକରେ ଗଡି ଚାଲୁଥିଲା ବାଇକ । ଗୋଟିଏ ପରେ ଗୋଟିଏ ବାଇକ ମାଡି ଚାଲୁଥିଲା ଆଗକୁ । କିଏ ପ୍ରଥମେ ଫିନିସିଙ୍ଗ ଲାଇନ ପାର କରିବ ସେଥିପାଇଁ ବାଇର୍କସ ମାନଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ପ୍ରତିଦ୍ୱନ୍ଦିତା । କିନ୍ତୁ ଏହି ସମୟରେ ଜଣେ ପ୍ରତିଦ୍ୱନ୍ଦୀ ଏହି ରେସ ଜିତିବା ପାଇଁ ଅନ୍ୟ ଜଣେ ପ୍ରତିଦ୍ୱନ୍ଦୀଙ୍କ ବାଇକର ବ୍ରେକ ଚାପିବାକୁ ମଧ୍ୟ ପଛାଇନଥିଲେ । ଆଉ ସବୁଠୁ ବଡ କଥା ହେଲା, ଯେଉଁ ସମୟରେ ଏହି ଘଟଣା ଘଟିଲା ସେହି ସମୟରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ବାଇକ ଟ୍ରାକରେ ଗଡୁଥିଲା । ଟିକଏ ବି ଅସବଧାନତା ହୋଇଥିଲେ ଏକ ବଡ ଦୁର୍ଘଟଣା ହୋଇଥାନ୍ତା ।

ଇଟାଲିୟନ ମୋଟୋ ଜିପି-୨ର ରାଇଡର ରୋମାନୋ ଫେନଟି ବାଇକ ରେସ ମଝିରେ ପ୍ରତିଦ୍ୱନ୍ଦୀ ଷ୍ଟେଫାନୋ ମଞ୍ଜିଙ୍କ ବାଇକର ବ୍ରେକ ମାରି ତଳେ ପକାଇବାକୁ ଚେଷ୍ଟା କରିଥିଲେ । ଯାହା ଜଣାପଡିବା ପରେ ତାଙ୍କୁ ତୁରନ୍ତ ଏହି ପ୍ରତିଯୋଗିତାରୁ ବାଦ୍ ଦିଆଯାଇଥିଲା । ଏନେଇ ଆୟୋଜକ ମଧ୍ୟ ଫେନାଟିଙ୍କ ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବାପରେ ଫେନାଟିଙ୍କୁ ବାଇକ ରେସିଂ ପ୍ରତିଯୋଗିତାରୁ ଆଜୀବନ ବ୍ୟାନ କରାଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଟ୍ରାକରେ ଫେନାଟିଙ୍କ ଏଭଳି କାର୍ଯ୍ୟ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାନ୍ତା । କିନ୍ତୁ ସୋଭାଗ୍ୟବସତଃ ସେଭଳି କୌଣସି ଦୁର୍ଘଟଣା ହୋଇନାହିଁ । ତେବେ ଏହି ଘଟଣା ପାଇଁ ଫେନାଟି କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିପାଇଁ ସେ ଲଜ୍ଜିତ । ଏହାଛଡା ଫେନାଟିଙ୍କ ଏଭଳି ଭୁଲ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଆଲୋଚନା ହୋଇଛି ।