କୂଳ ଲଂଘୁଛି ବୈତରଣୀ, ଦୁର୍ବଳ ହେଉଛି ନଦୀ ବନ୍ଧ ! ଆଶା ଆଶଙ୍କାରେ ରାତି କାଟୁଛନ୍ତି ୪ଟି ଗାଁର ଲୋକ,  ନିମ୍ନମାନର ପଥର ପ୍ୟାକିଂ ଅଭିଯୋଗ । 

85

କନକ ବ୍ୟୁରୋ : କୂଳ ଲଂଘୁଛି ବୈତରଣୀ, ଦୁର୍ବଳ ହେଉଛି ନଦୀ ବନ୍ଧ । ଆଉ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ରାତି କାଟୁଛନ୍ତି ୪ଟି ଗାଁର ଲୋକ । ଦୁର୍ବଳ ନଦୀ ବନ୍ଧକୁ ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ମରାମତି କାମ ଆରମ୍ଭ କରିଛି ରାଜକନିକା ପ୍ରଶାସନ । ପଥର ପ୍ୟାକିଙ୍ଗ କାମ ଚାଲିଥିବା ବେଳେ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । କାମ ଚାଲିଥିବା ସ୍ଥାନକୁ ବିଭାଗୀୟ ଅଧିକାରୀ ଆସୁନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି ।

ନଦୀ ବନ୍ଧରେ ଦୁର୍ନୀତିର ଗନ୍ଧ । ନିମ୍ନମାନର ପଥର ପ୍ୟାକିଂ ଅଭିଯୋଗ । କେନ୍ଦ୍ରାପଡା ରାଜକନିକା ବ୍ଲକର ଗୁଆଳି ନଦୀ ବନ୍ଧ ଉପରେ ନିର୍ଭର କରେ ୫ଟି ଗାଁ । ବୈତରଣୀ କୁଳ ଲଂଘୁଥିବା ବେଳେ ବନ୍ଧ ଭାଙ୍ଗିଲେ ଭାସିଯିବ ଗାଁ । ଦୁର୍ବଳ ବନ୍ଧକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ପ୍ରଶାସନ ପକ୍ଷରୁ ପଥର ପ୍ୟାକିଂ କରାଯାଉଛି ।

୬୦ ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇଥିବା ବେଳେ ଛୋଟ ଛୋଟ ପଥର ଓ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି । କାମ ପାଖକୁ ବିଭାଗୀୟ ଅଧିକାରୀ ଆସୁନଥିବାରୁ ଠିକାଦାର ମନଇଛା କାମ କରୁଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରାରେ କାମ ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ବିଭାଗୀୟ ଜେଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତୁରନ୍ତ ଭଲ ଭାବରେ କାମ କରିବା ସହିତ ବିଭାଗୀୟ ତଦନ୍ତ ଦାବୀ କରିଛନ୍ତି ଗାଁର ଲୋକମାନେ ।