ଏଣିକି ରୋବଟିକ୍ ଲାବରେ ପାଠ ପଢିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ! ବୈଷୟିକ ଶିକ୍ଷା ପାଇଁ ସରକାରଙ୍କ ନୂଆ ପଦକ୍ଷେପ ।

72

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ବୈଷୟିକ ଜ୍ଞାନ ଆହରଣର ମୂଳଦୁଆ ସୁଦୃଢ କରିବା ସହ ଭବିଷ୍ୟତ ଗଢିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ରୋବୋଟିକ୍ ଲାବ । ବିଭିନ୍ନ ବୈଷୟିକ ଜ୍ଞାନ ଆହରଣ ସହ ନୂତନ ଆବିଷ୍କାର ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ ଏହି ଲାବ୍ । ତେଣୁ ସ୍କୁଲ ଗୁଡିକରେ ଏହି ରୋବଟିକ୍ ଲାବ୍ କରିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏହି ପ୍ରକ୍ରିୟାରେ ରାଉରକେଲାରୁ ସରକାରୀ ସ୍କୁଲରେ ବୈଷୟିକ ଶିକ୍ଷାଦାନ କରୁଛନ୍ତି ବାଙ୍ଗାଲୁରୁର ଯୁବ ଇଂଜିନିୟର ।

ଏଣିକି ରୋବଟିକ୍ ଲାବରେ ପାଠପଢିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତି ଆଧାରରେ ରାଜ୍ୟର ୧୦ଟି ମଡେଲ ସ୍କୁଲରେ ରୋବୋଟିକ୍ ଲାବ୍ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ରାଉରକେଲାର ସିବିଏସସି ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକରେ ଏହି ଲାବ୍ କରାଯାଇଛି । ରୋବଟିକ୍ ଲାବକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତୃପକ୍ଷ ବେଶ ଖୁସି ଅଛନ୍ତି । ଏହି ଲାବ ପିଲାଙ୍କୁ ଆମୋଦ ପ୍ରଦାନ କରିବା ସହ ବୈଷୟିକ ଜ୍ଞାନ କୌଶଳ ଆହରଣ ପାଇଁ ଉତ୍ସାହିତ କରିବ ବୋଲି ସ୍କୁଲ କର୍ତୃପକ୍ଷ କହିଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ରୋବଟିକ୍ ଲାବ୍ ପ୍ରତିଷ୍ଠା କାମ ହାତକୁ ନେଇଛି ବାଙ୍ଗାଲୁରର ସିରେନା ଟେକ୍ନୋଲୋଜି ନାମକ ଏକ ସଂସ୍ଥା । ଏହି ସଂସ୍ଥାର କର୍ମକର୍ତାମାନେ ଏହି ଲାବ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ଯୁବ ଇଂଜିନିୟର ଓ ବୈଷୟିକ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ବ୍ୟକ୍ତି ଶିକ୍ଷାଦାନ କରୁଥିବାରୁ ସେମାନଙ୍କ ଶିକ୍ଷାଦାନ ଶୈଳୀକୁ ପ୍ରସଂଶା କରିଛନ୍ତି ଛାତ୍ରଛାତ୍ରୀ । ଅତ୍ୟାଧୁନିକ ଶିକ୍ଷାଦାନ କ୍ଷେତ୍ରରେ ସୁବିଧା ସୁଯୋଗ ପାଇପାରୁନଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏହି ରୋବଟିକ୍ ଲାବ୍ ପାଠ୍ୟକ୍ରମ କାର୍ଯ୍ୟକାରୀ ହେଲେ ଓଡିଆ ମିଡିୟମରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଉପକୃତ ହେବେ ।