ବାଛି ନେଲେ ଅସଲି ସୁନା, ଛାଡ଼ି ଗଲେ ଇମିିଟେସନ୍ ଗହଣା । ରାଜଧାନୀରେ ଦମ୍ପତିଙ୍କୁ ଲୁଟିଲେ ଦୁର୍ବୃତ, ଘର ବନ୍ଦ କରି ବୁଲାଇଲେ କଳାକନା ।

567

କନକ ବ୍ୟୁରୋ : ରାତି ଅଧରେ ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ । ଘରର ଝରକା ତାଡି ଭିତରକୁ ପଶିବା ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି । ନଗଦ ଟଙ୍କା ବି ଲୁଟ୍ ହୋଇଛି । ତେବେ ଲୁଟେରା ଅସଲି ସୁନା ଗହଣା ଲୁଟି ନେଇଥିବା ବେଳେ ଇମିିଟେସନ୍ ଗହଣା ଅର୍ଥାତ୍ ନକଲି ଗହଣାକୁ ଘର ବାହାରେ ଫୋପାଡି ଦେଇଛନ୍ତି ।

କଳାକନା ବୁଲାଇଲେ ଲୁଟେରା । ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା । ରାଜଧାନୀ ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳର ଏକ ଘରେ ରାତି ଅଧରେ କଳାକନା ବୁଲାଇଦେଇଛନ୍ତି ଲୁଟେରା । ଘରେ ପଶି ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟି ନେଇଛନ୍ତି । ନଗଦ ୩୦ ହଜାର ଟଙ୍କା ବି ଚୋରି ହୋଇଛି । ବଡ କଥା ହେଉଛି, ଘରର ଅନ୍ୟ ସଦସ୍ୟ ପାଖ ରୁମରେ ଶୋଇଥିବା ବେଳେ ଗୋଟିଏ ରୁମରୁ ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ ।

ଭୁବନେଶ୍ୱର ସାମନ୍ତରାପୁରର ଦିବ୍ୟବିହାର । ସମୟ ରାତି ପ୍ରାୟ ୧୨ଟା ୩୦ । ସମସ୍ତେ ଶୋଇପଡିବା ପରେ ୪ରୁ ୫ ଜଣ ଲୁଟେରା ଘରେ ପଶିଥିଲେ । ପଛପଟ ଝରକା ତାଡି ପଶିବା ପରେ ଭିତରପଟୁ ବନ୍ଦ କରିଦେଇଥିଲେ । ପରେ ଘର ଭିତରେ ଘଂଟାଏ ଧରି ଚାଲିଲା ଲୁଟପାଟ୍ । ଆଲମିରା, ବ୍ୟାଗ, ଖଟ ସବୁ କିଛି ଖୋଜାଖୋଜି କରି ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା, ନଗଦ ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଲୁଟି ଫେରାର ହୋଇଯାଇଥିଲେ । ଘରେ ଥିବା ଅସଲି ସୁନା, ରୁପା ଲୁଟିନେଇଥିବା ବେଳେ ଇମିଟେସନ୍ ଗହଣାକୁ ବାହାରେ ଫୋପାଡିଦେଇଥିଲେ ଲୁଟେରା ।

ରାତି ଅଧରେ ଲୁଟ୍ ହେବା ପରେ ସକାଳୁ ସାଇଂଟିଫିକ୍ ଟିମ୍ ସହ ପୋଲିସ ପହଂଚିଥିଲା । ଘର ଭିତରେ ଏବଂ ବାହାରେ ସନ୍ଧାନୀ କୁକୁର ସହ ତଦନ୍ତ କରାଯାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇପାରିନି ପୋଲିସ । ସେପଟେ ସ୍ଥାନୀୟ ଅଂଚଳରେ ଥିବା ଅନ୍ୟ ଏକ ଘରୁ ମଧ୍ୟ ଲୁଟ୍ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଘର ପାଖରେ ଲାଗିଥିବା ଏକ ସିସିଟିଭିରେ ଲୁଟେରାଙ୍କ ଦୃଶ୍ୟ ବି କଏଦ ହୋଇଛି ।