୯ବର୍ଷ ପରେ ଅଧାରେ..ବାରମ୍ବାର ହେଉଛି ଟେଣ୍ଡର,ବଦଳୁଛନ୍ତି ଠିକାଦାର ହେଲେ ସରୁନି ନିର୍ମାଣ

31

କନକ ବ୍ୟୁରୋ: ଯାଜପୁର ଜିଲ୍ଲା କଳିଙ୍ଗନଗର ଦ୍ରୁତ ଶିଳ୍ପାୟନ, ଗମନାଗମନ ଓ ପରିବହନକୁ ଲକ୍ଷ୍ୟ ରଖି ମାନପୁରଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏହି ଠାରେ ଯଖପୁରା-ବାଂଶପାଣି ରେଳପଥଟି ଶିଳ୍ପାଞ୍ଚଳର ପ୍ରମୁଖ ରାସ୍ତାକୁ ଅତିକ୍ରମ କରୁଥିବାରୁ ଏହାର ନିର୍ମାଣ ନିତ୍ୟାନ୍ତ ଜରୁରୀ ହୋଇପଡିଥିଲା । ତେବେ ଭିତ୍ତିପ୍ରସ୍ତର ସ୍ଥାପନ ହେବାର ୯ ବର୍ଷ ବିତିଯାଇଥିଲେ ହେଁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଧପନ୍ତିଆ ହୋଇ ପଡିରହିଛି । ବାରମ୍ବାର ଟେଣ୍ଡର ହେଉଛି, ଠିକାଦାର ପରେ ଠିକାଦାର ବଦଳୁଛନ୍ତି ହେଲେ ଏହା କାର୍ଯ୍ୟ ଶେଷ ହେବା ନାଁ ଧରୁନି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଖୁବଶୀଘ୍ର କାର୍ଯ୍ୟ ଶେଷ ହେବ ଏବଂ ଲୋକଙ୍କୁ ଯାତାୟାତ, ଗମନାଗମନ ଓ ପରିବହନ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।

ଏ ହେଉଛି ୧୬ ନମ୍ବର, ୨୦୦ ନମ୍ବର ଏବଂ ୨୧୫ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବ୍ୟାସନଗର-କଳିଙ୍ଗନଗର ମୁଖ୍ୟରାସ୍ତା । ଆଉ ଏହା ସେହି ପ୍ରମୁଖ ରାସ୍ତାରେ ଥିବା ମାନଗୋବିନ୍ଦପୁର ବା ମାନପୁର ରେଳଫାଟକ । ପ୍ରତିଦିନ ଏହି ରେଲଫାଟକ ଦେଇ ଶିଳ୍ପାଞ୍ଚଳକୁ ହଜାର ହଜାର ସଂଖ୍ୟାରେ ଯାନବାହାନ ଅତିକ୍ରମ କରିଥାନ୍ତି । ଅଧିକାଂଶ ସମୟରେ ଫାଟକ ଜାମ୍ ଯୋଗୁଁ ଯାତ୍ରୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡିଥାଏ । ଏପରିକି ଆମ୍ବୁଲାନ୍ସରେ ରୋଗୀଟିଏ ନେବା ବେଳେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହୋଇଥାଏ ।

ଯଖପୁରା-ବାଂଶପାଣି ଭାୟା ସୁକିନ୍ଦାରୋଡ ରେଳପଥଟି ଶିଳ୍ପାଞ୍ଚଳର ଏହି ପ୍ରମୁଖ ରାସ୍ତାକୁ ଅତିକ୍ରମ କରୁଥିବାରୁ ଏଠାରେ ଏକ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଆବଶ୍ୟକତାକୁ ଉପଲବ୍ଧି କରି ଏଠାରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଅର୍ଥମଞ୍ଜୁର ହୋଇଥିଲା । ତେବେ ଏହି ଓଭରବ୍ରିଜ୍ ଭିତ୍ତିପ୍ରସ୍ତର ସ୍ଥାପନ ହେବାର ୯ବର୍ଷ ବିତିଯାଇଥିଲେ ହେଁ ଏହାର ନିର୍ମାଣ କାର୍ଯ୍ୟ ଏଯାଏ ଶେଷ ହୋଇପାରୁନି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ଓଭରବ୍ରିଜ୍ କାମ ଶେଷ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ସୂଚନା ମୁତାବକ, କଳିଙ୍ଗନଗର ଦ୍ରୁତ ଶିଳ୍ପାୟନ, ଗମନାଗମନ ଓ ପରିବହନକୁ ଲକ୍ଷ୍ୟ ରଖି ମାନପୁର ଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ସ୍ଥିର ହୋଇଥିଲା । ରେଳବିଭାଗ ଅଧିନ ରେଳଧାରଣା ଉପରଭାଗ ଓଭରବ୍ରିଜ୍ କାମ ଶେଷ ହୋଇ ତା ଉପରେ ରଙ୍ଗ ମଧ୍ୟ ଚଢାସରିଲାଣି । ପରସ୍ତ ପରସ୍ତ ହୋଇ କାମ ଚାଲିଛି ହେଲେ ଅବଶିଷ୍ଟ ଭାଗ ସରିବା ନାଁ ଧରୁନି । ଫଳରେ ଓଭରବ୍ରିଜ୍ ରାସ୍ତା ମଧ୍ୟ ସଂଯୋଗ ହୋଇପାରୁନି ।

ବାରମ୍ବାର ଟେଣ୍ଡର ହେଉଛି, ଠିକାଦାର ପରେ ଠିକାଦାର ବଦଳୁଛନ୍ତି ହେଲେ ଏହା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ତୁରନ୍ତ ଏହାର ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେଲେ ଲୋକଙ୍କ ଦୁଃଖ ଦୂର ହେବ ବୋଲି ଯାତ୍ରୀ କହୁଛନ୍ତି । ସେପଟେ ଜିଲ୍ଲାପାଳ ଏ ସମ୍ପର୍କରେ ଅବଗତ ଅଛନ୍ତି । ଏଥିପାଇଁ ଇତିମଧ୍ୟରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ତୁରନ୍ତ କାମ ଶେଷ କରିବାକୁ ଠିକାଦାରଙ୍କୁ ତାଗିଦ୍ ହୋଇଛି । ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ଏବଂ ଲୋକଙ୍କୁ ଯାତାୟାତ, ଗମନାଗମନ ଓ ପରିବହନ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି ।