କନକ ବ୍ୟୁରୋ : ୮ମାସର ଗର୍ଭବତୀ ଥିଲେ। ତଥାପି ନିଜର ତଥା ଗର୍ଭସ୍ଥ ଶିଶୁ ପାଇଁ ଆଦୌ ଗୁରୁତ୍ବ ଦେଲେ ନାହିଁ। ସ୍ବାମୀ ସହ ନିଶାସକ୍ତ ଅବସ୍ଥାରେ ଏଣେତେଣେ ବୁଲୁଥିଲେ। ଯାହା ଫଳରେ ମହିଳା ଜଣକ ରାସ୍ତାକଡ଼ରେ ପ୍ରସବ କରିଥିବା ବେଳେ କିଛି ସମୟ ପରେ ଆଖି ବୁଜିଛି ଅପରିପକ୍ବ ନବଜାତ ଶିଶୁ। ଅତ୍ୟଧିକ ରକ୍ତସ୍ରାବ ହେବାରୁ ପ୍ରସୂତିଙ୍କ ଅବସ୍ଥା ବି ସଂକଟାପନ୍ନ। କିଛି ସ୍ବେଚ୍ଛାସେବୀ ପ୍ରସୂତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି। ଗୋଟିଏ ପଟେ ପତ୍ନୀ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ମେଡିକାଲରେ ଏପଟସେପଟ ହେଉଥିବା ସ୍ବାମୀର ମଦ ନିଶା କିନ୍ତୁ କମିନାହିଁ। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ସହରରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ସହର ପଠାଣସାହିର ମୁନା ଜାନି ଓ ପତ୍ନୀ ରେଶ୍ମା ରାଓ କିଛି ମାସ ତଳେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ପ୍ରାୟ ସପ୍ତାହକ ତଳେ ଏହି ଦଂପତି ନବରଙ୍ଗପୁର ଫେରିଥିଲେ। ତେବେ ଉଭୟଙ୍କ ନିଜର ଘର ନ ଥିବାରୁ ରାସ୍ତା କଡ଼ରେ କିମ୍ବା କୌଣସି ଦୋକାନ ବାରଣ୍ଡାରେ ରାତି କାଟୁଥିଲେ। ଯାହା ଟଙ୍କା ନେଇ ଫେରିଥିଲେ ସେଥିରେ ଦିନ ତମାମ ମଦ ପିଇ ନିଶାସକ୍ତ ଅବସ୍ଥାରେ ରହୁଥିଲେ। ୮ମାସର ଗର୍ଭବତୀ ଥିବା ରେଶ୍ମା ସଂଧ୍ୟାରେ ହଠାତ୍ ପ୍ରସବ ଜନିତ ବେଦନା ଅନୁଭବ କରିଥିଲେ। କିନ୍ତୁ ନିଶାରେ ଥିବା ସ୍ବାମୀ ଏହାକୁ ସେତେଟା ଗୁରୁତ୍ବ ଦେଇ ନଥିଲେ।
କିଛି ସମୟ ପରେ ଯନ୍ତ୍ରଣା ବଢ଼ିଥିଲା ଏବଂ ରାସ୍ତା କଡ଼ରେ ହିଁ ରେଶ୍ମା ଏକ ଶିଶୁପୁତ୍ରକୁ ପ୍ରସବ କରିଥିଲେ। ତେବେ ଜନ୍ମ ହେବାର ବହୁ ସମୟ ପରେ ବି ଶିଶୁଟିର ନାଭି କଟା ଯାଇ ନଥିଲା। ତେଣୁ ମାର ଶରୀର ସହ ଲାଗି ରହିଥିଲା। ଅନ୍ୟପଟେ ପ୍ରସୂତି ଜଣକ ନିଶାରେ ରହିଥିବାରୁ ଏଥିପ୍ରତି ଆଦୌ ଧ୍ୟାନ ଦେଇ ନ ଥିଲେ। ସମୟ ପୂର୍ବରୁ ପ୍ରସବ ହୋଇ ଥିବାରୁ ଶିଶୁଟିର ଶରୀର ପରିପକ୍ବ ହୋଇ ନ ଥିଲା। ଯାହାଫଳରେ କିଛି ମିନିଟ ପରେ ହିଁ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଥିଲା। ପ୍ରାୟ ଅଧା ଘଣ୍ଟା ଧରି ପ୍ରସବ ପରେ ବି ମହିଳା ଜଣକ ସେମିତି ରାସ୍ତା କଡ଼ରେ ପଡ଼ି ରହିଥିଲେ।
ବହୁ ବିଳମ୍ବରେ ଏହି ଦୃଶ୍ୟ ସ୍ଥାନୀୟ କିଛି ଯୁବକଙ୍କ ନଜରକୁ ଆସିଥିଲା। ସେମାନେ ୧୦୮ ଆମ୍ବୁଲାନ୍ସ ଡକାଇ ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ରେଶ୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ ରହିଥିବା ଡାକ୍ତର କହିଛନ୍ତି। ନିରକ୍ଷର ହୋଇଥିବାରୁ ଏହି ଦଂପତି ପ୍ରସବ ପୂର୍ବ ଏବଂ ପ୍ରସବ ପରବର୍ତୀ ଯତ୍ନ ତଥା ସରକାରୀ ସୁବିଧା ସଂପର୍କରେ ଆଦୌ ଜାଣି ନ ଥିଲେ। ମହିଳା ଜଣକ ଗର୍ଭବତୀ ଥିବା ସତ୍ତ୍ବେ ମଦ୍ୟପାନ କରିଥିବା ସ୍ଥାନୀୟ ଲୋକ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/child-born.jpg)