ରାସ୍ତା ଉପରେ ରାଜନୀତି । ସ୍ମାର୍ଟ ସିଟିରେ ମୋଦି, ସିଲଭର ସିଟିରେ ନବୀନ କରିବେ ମେଗା ରୋଡ ସୋ’ ।

263

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶାରେ ଦୁଇ ହେଭିୱେଟଙ୍କୁ ଦେଖିବାକୁ ମିଳିବ ପ୍ରଚାର ମୈଦାନରେ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ଓ ଅନ୍ୟ ପଟେ ମୈଦାନକୁ ଓହ୍ଲାଇବେ ବିଜେପିର ବଡ ଚେହେରା ମୋଦି । ଓଡିଶାରେ ଗେରୁଆ ବାନା ଉଡାଇବା ପାଇଁ ବିଜେପି ଦିନ ରାତି ଏକ କରି ଦେଇଥିବା ବେଳେ ବାରମ୍ବାର ଓଡିଶା ଗସ୍ତରେ ମୋଦିଙ୍କୁ ଆସୁଥିବାର ଦେଖିବାକୁ ମିଳୁଛି । ସେହିଭଳି ପୁଣିଥରେ ସରକାରକୁ ଆସିବାକୁ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ ଦଳର ମୁଖିଆ । ଏହିକ୍ରମରେ ଆସନ୍ତାକାଲି ଟ୍ୱିନ୍ ସିଟରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଗୋଟିଏ ପଟେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ମୋଦି କରିବେ ରୋଡ ସୋ’ ଅନ୍ୟପଟେ କଟକବାସୀଙ୍କ ମନ ଜିଣିବାକୁ କଟକର ପ୍ରତି ଛକରେ କରିବେ ନବୀନ କରିବେ ରୋଡ ସୋ’ ।

ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ବେଳେ ଏଥିରେ ଚାର ଚାନ୍ଦ ଲଗାଇବାକୁ ଯାଉଛି ମୋଦି ଓ ନବୀନଙ୍କ ରୋଡ ସୋ’ । ନବୀନ ନିର୍ବାଚନ ଆରମ୍ଭରୁ ମାରାଥନ ରୋଡ ସୋ’ କରୁଥିବା ବେଳେ ମୋଦି ପ୍ରଥମ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଓଡିଶାରେ କରିବେ ରୋଡ ସୋ’ । ଯାହା ରାଜ ରାଜ୍ୟନୀତିକୁ ବେଶ ଉଷ୍ମ କରିଛି ।

ଆସନ୍ତାକାଲି ମୋଦି ଓଡିଶା ଗସ୍ତରେ ଆସୁଥିବା ବେଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ । ସେଠାରୁ ସିଧାସଳଖ ଭୁବନେଶ୍ୱର ଅଭିମୁଖେ ବାହାରିବେ ମୋଦି । ଅପରାହ୍ନ ୪ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମେଗା ରୋଡ ସୋ’ରେ ବାହାରିବେ ମୋଦି । ବିମାନବନ୍ଦରରୁ ରୋଡ ସୋ’ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପଟେ ଥିବା ଶିବ ମନ୍ଦିର ବାଟେ ବରମୁଣ୍ଡା ପଡିଆରେ ପହଞ୍ଚିବେ ମୋଦି । ରୋଡ ସୋ’ ପରେ ବରମୁଣ୍ଡା ପଡିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ମୋଦି । ଯେଉଁଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୋଦି ।

ସେହିଭଳି ଅନ୍ୟପଟେ କଟକବାସୀଙ୍କ ମନ ଜିଣିବା ପାଇଁ ସିଲଭରସିଟିରେ ଆସନ୍ତାକାଲି ମେଗା ରୋଡ ସୋ’ କରିବେ ବିଜେଡି ସୁପ୍ରିମୋ । କଟକର ୪୩ଟି ଛକରେ ରୋଡ ସୋ’ କରିବେ ନବୀନ । ଛତାରୁ ନବୀନଙ୍କ ରୋଡ ସୋ’ ଆରମ୍ଭ ହୋଇ ପ୍ରେସ ଛକରେ ଶେଷ ହେବ । ଆଉ ଏହା ମଧ୍ୟରେ ୪୩ଟି ଛକରେ ଅଟକି ନବୀନ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଗୋଟିଏ ଦିନରେ ରାଜନୀତିର ଦୁଇ ମହାରଥୀ ରୋଡ ସୋ’କୁ ଓହ୍ଲାଉଥିବା ବେଳେ ଦୁଇ ଦଳର କର୍ମୀ ବେଶ ଉତ୍ସାହିତ ରହିଛନ୍ତି ।